ଏମିତି ହିଁ ପ୍ରେମ ହୁଏ
ଏମିତି ହିଁ ପ୍ରେମ ହୁଏ
ତୁମେ ଦେଲ ସଖୀ ଫୁଲରେ ସୁରଭି
ମୁଁ ଝରିଲି ହୋଇ ଜୋଛନା ଧାର
ତୁମେ ଗାଇଦେଲ ପ୍ରଣୟ ମଲ୍ହାର
ମୁଁ ସାଜିଲି ତୁମ ଗଳାର ସ୍ୱର I
ଆଖିତଳେ ମୋର ପ୍ରେମର ସାଗର
ଢେଉ ହୋଇ ତୁମେ ନାଚିଲ ସେଠି
ତୁମରି ଭିତରେ ନିଜକୁ ପାଇଲି
ଢାଳିଦେଲି ମୋର ଅମାପ ପ୍ରୀତି I
ଦେଖିଲି ତୁମକୁ ନିରେଖି ନିରେଖି
ନିକଟୁ ନିକଟ ହୋଇଲ ତୁମେ
ମୋ ସାରା ସତ୍ତାରେ ବ୍ୟାପିଗଲ ସଖୀ
ମୁଁ ହଜିଲି ତୁମ ମଧୁର ପ୍ରେମେ I
ଆଖିରେ ଉଇଁଲା ଇନ୍ଦ୍ରଧନୁ ମୋର
ରଙ୍ଗୀନ ଦିଶିଲା ମୋ ଚତୁର୍ଦ୍ଦିଗ
ତୁମେ ପାଲଟିଲ ହୃଦୟ ଈଶ୍ୱରୀ
ପ୍ରେମ ପୂଜାବେଦୀ ପୀରତି ଭୋଗ I
ତୁମ ପରଶରେ ଶୁଷ୍କ ତରୁଡାଳେ
କଅଁଳି ଉଠିଲା ନବ ପଲ୍ଲବ
ତୁମରି ମନର ମହା ସାଗରରେ
ଭାସିଲି ହୋଇ ମୁଁ ପ୍ରଣୟ ନାବ I

