ଏକତରଫା
ଏକତରଫା
ତୁମ ଗାଆଁ ଆଉ ଆମ ଗାଁ ମଝିରେ
ବହିଯାଏ ଗୋଟେ ସରୁଆ ନଦୀ
ଏପାଖୁ ଦେଖିଲେ ସେ କୂଳେ ଦିଶଇ
ତୁମ ଘର ଗଳି ଦୋକଡି କନ୍ଦି
ତୁମେ ଯେବେ ଯାଅ ସାଙ୍ଗସାଥୀ ମେଳେ
ଏପାଖେ ବିକଳ ଆଖି ଦୁଇଟି
ଚାହିଁ ରହିଥାଏ ଦେଖିବ ତୁମକୁ
ଛାଡିଦେଇ ସବୁ କାମ ପାଇଟି
ପୁନିଆ ମଉସା ପିଜୁଳି ଗଛରୁ
ଲୁଚିଛପି ଯେବେ ତୋଳ ପିଜୁଳି
ପୁନିଆ ମଉସା ଗାଳି କଲାବେଳେ
ରାଗରେ ମୋ ଦେହ ଯାଏଟି ଜଳି
ନଈ ପାରିହେଇ ଆମ ଗାଁ ଦାଣ୍ଡରେ
ତୁମେ ଯେବେ ସାଙ୍ଗସାଥୀଙ୍କ ମେଳେ
ଚାଲି ଯାଉଥାଅ ଝରକା ପରଦା
ଆଡେଇ ମୁଁ ଚାହିଁରହେ ବିକଳେ
ତୁମେ ଜାଣିନାହଁ ତୁମ ଅଜଣାରେ
ତୁମକୁ ମୁଁ ଦେଇଦେଇଛି ମନ
ଚାହିଁ ରହିଥିବି ତୁମରି ବାଟକୁ
ଯେତେ ଯାଏ ଥିବ ପିଣ୍ଡରେ ପ୍ରାଣ
ଇଏ ଗଲା କଥା ଦିବର୍ଷ ତଳର
ଏବକାର ଟିକେ କଥା ଅଲଗା
ଆଉ ସେ ନଈରେ ପାଣିଟୋପେ ନାହିଁ
ଶୁଖିଲା ପଡିଛି ସେ ନିଆଁଲଗା
ପୁନିଆ ମଉସା ପିଜୁଳି ଗଛଟା
ଗଲା ବାତିଆରେ ଉପୁଡିଗଲା
ଶାଶୁଘର ଯିବା ପରଠାରୁ କେବେ
କରୁନାହିଁ ଘର ଝରକା ଖୋଲା
ମୋ ଭଲପାଇବା ଶବକୁ ମୁଁ ନିଜେ
କାନ୍ଧରେ ବୋହିକି ଚାଲୁଛି ବାଟ
ଯେତେବେଳେ ମନ ତୁମକୁ ଖୋଜୁଛି
କରୁଛି ମୁଁ ତାକୁ କଷ୍ଟେ ଆକଟ
