STORYMIRROR

Banabihari Mishra

Abstract

2  

Banabihari Mishra

Abstract

ଏକତରଫା

ଏକତରଫା

1 min
296

ତୁମ ଗାଆଁ ଆଉ      ଆମ ଗାଁ ମଝିରେ

   ବହିଯାଏ ଗୋଟେ ସରୁଆ ନଦୀ

ଏପାଖୁ ଦେଖିଲେ     ସେ କୂଳେ ଦିଶଇ

   ତୁମ ଘର ଗଳି ଦୋକଡି କନ୍ଦି

ତୁମେ ଯେବେ ଯାଅ    ସାଙ୍ଗସାଥୀ ମେଳେ

   ଏପାଖେ ବିକଳ ଆଖି ଦୁଇଟି

ଚାହିଁ ରହିଥାଏ       ଦେଖିବ ତୁମକୁ

    ଛାଡିଦେଇ ସବୁ କାମ ପାଇଟି

ପୁନିଆ ମଉସା       ପିଜୁଳି ଗଛରୁ

    ଲୁଚିଛପି ଯେବେ ତୋଳ ପିଜୁଳି

ପୁନିଆ ମଉସା       ଗାଳି କଲାବେଳେ

    ରାଗରେ ମୋ ଦେହ ଯାଏଟି ଜଳି

ନଈ ପାରିହେଇ       ଆମ ଗାଁ ଦାଣ୍ଡରେ

     ତୁମେ ଯେବେ ସାଙ୍ଗସାଥୀଙ୍କ ମେଳେ

ଚାଲି ଯାଉଥାଅ       ଝରକା ପରଦା

     ଆଡେଇ ମୁଁ ଚାହିଁରହେ ବିକଳେ

ତୁମେ ଜାଣିନାହଁ      ତୁମ ଅଜଣାରେ

     ତୁମକୁ ମୁଁ ଦେଇଦେଇଛି ମନ

ଚାହିଁ ରହିଥିବି        ତୁମରି ବାଟକୁ

     ଯେତେ ଯାଏ ଥିବ ପିଣ୍ଡରେ ପ୍ରାଣ

ଇଏ ଗଲା କଥା       ଦିବର୍ଷ ତଳର

     ଏବକାର ଟିକେ କଥା ଅଲଗା

ଆଉ ସେ ନଈରେ      ପାଣିଟୋପେ ନାହିଁ

     ଶୁଖିଲା ପଡିଛି ସେ ନିଆଁଲଗା

ପୁନିଆ ମଉସା        ପିଜୁଳି ଗଛଟା

     ଗଲା ବାତିଆରେ ଉପୁଡିଗଲା

ଶାଶୁଘର ଯିବା       ପରଠାରୁ କେବେ

     କରୁନାହିଁ ଘର ଝରକା ଖୋଲା

ମୋ ଭଲପାଇବା      ଶବକୁ ମୁଁ ନିଜେ

     କାନ୍ଧରେ ବୋହିକି ଚାଲୁଛି ବାଟ

ଯେତେବେଳେ ମନ    ତୁମକୁ ଖୋଜୁଛି

     କରୁଛି ମୁଁ ତାକୁ କଷ୍ଟେ ଆକଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract