STORYMIRROR

Snigdha Panda

Children Others

5.0  

Snigdha Panda

Children Others

ଏକଲା ଝିଅ ମୋର

ଏକଲା ଝିଅ ମୋର

1 min
781


ତତେ ମୁଁ ଗଢି ପାରିଲିନି

ମାଟି ଭଳି

ସବୁକିଛି ସହିଯିବାକୁ

ଆକାଶ ଭଳି

ସବୁ ପାପକୁ କ୍ଷମା କରିଦେବାକୁ

କିମ୍ବା ତୋଫାନ ଭଳି

ଆପଣାର ଅଧିକାର ଛଡେଇନେବାକୁ,

ତତେ ମୁଁ କରିଦେଇଛି ଠିଆ

ରାସ୍ତା ମଝିରେ, ଦୋ ଛକିରେ

ମୋ ଅପାରଗତା

ଲେସି ହେଇଯାଇଛି ତୋ କପାଳରେ

ଏକଲା ଝିଅ ମୋର,

ଅସହାୟା ମାଆ ମୁଁ ତୋର

କିଛି କରି ନ ପାରି

ଗୁମୁରି ମରୁଥାଏ ନିଜ ଭିତରେ ॥


ତତେ ଜନମ ଦେଇଛି

ମନଲାଖି ଜୀବନ କିନ୍ତୁ ଦେଇପାରିନି

ଆଜି ତ ବୁଝୁଛି

ଯେତେବେଳେ ବିଶ୍ରମିଥିଲୁ ମୋ ଗର୍ଭରେ

ସେତେକାଳ ବଞ୍ଚିଥିଲୁ;

ଯେଉଁ ମୁହୂର୍ତ୍ତରୁ ଭୂମି ସ୍ପର୍ଶ କଲୁ

ସେ ବେଳରୁ ବୁହା ହୋଇଛୁ ନିତି

ମରଣ କାନ୍ଧରେ

ଝିଅ ମୋର ଅଭିଶପ୍ତା ଦେବକନ୍ୟା

ବାହୁଡେଇ ଦେବି ବୋଲି

ଯେତେଥର ହଲେଇଛି ବିଦାୟର ହାତ

ଅନୁଭବିଛି ସେତେଥର

ମୁଁ ଗୋଟେ କବନ୍ଧ

ଘୁଷୁରୁଛି କାହାର ଲହୁ, ଲୁହ ଲଟପଟ

ଚିକମିକ ହସ ଅରଣ୍ୟରେ ॥


ତତେ ସୁନାଝିଅର ଜମା ପିନ୍ଧେଇ,

ମୁଁ ଝୁଲିଥିବା ଦୋଳିରେ ଝୁଲେଇ,

ତୋ କପାଳକୁ ବନ୍ଧାଦେଇ ସିନ୍ଦୁରଟୋପାକୁ

ସତରେ ମୁଁ ଅପରାଧୀ ମାଆଟିଏ

ସବୁ ନିଶୂନ ପହରରେ

ମୋଛାତିରେ ବାଜୁଛି ତୋ ତତଲା ନିଶ୍ଵାସ

ସନ୍ତୁଳି ହୋଇ ଯାଉଛି

ଶିରା-ପ୍ରଶିରା, ମାଂସମୟ ଦେହ ମୋର

ଆହା !

ଏକଲା ଝିଅମୋର

କେଉଁଠି ତୁ? କେତେ ଦୂର??

ଖୋଜୁଛି ମୁଁ

ନିଛାଟିଆ ବେଳ

ଯେବେ ଆସେ ଅଗଣାକୁ ମୋର ॥


******++++++******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children