ଏକ ଅବିସ୍ମରଣୀୟ ମୂହୁର୍ତ୍ତ "
ଏକ ଅବିସ୍ମରଣୀୟ ମୂହୁର୍ତ୍ତ "
ଏକ ସ୍ତମ୍ଭିଭୂତ ଅବସ୍ଥାକୁ
ନାଁ
ମୁଁ ଏଡାଇ ପାରିଥାନ୍ତି ,ନାଁ ତମେ?
ଆହାଃ !ଏବେବି ଏକ ଅପୂର୍ବ
ଲାବଣ୍ୟ ମୟତା।
ମୁଖ କୁଞ୍ଚନ କୁ ଦିବ୍ୟ କରୁଥିଲା
ଏକ ବଡ଼ ଗୋଲାକାର
ରକ୍ତ ସିନ୍ଦୁର ର ବିନ୍ଦୁ,
ତମେ ତମ ଓଢଣିରେ ଯେତେ
ସେ ଚନ୍ଦ୍ରମିତ ଆଭାକୁ ଲୁଚାଇ ବାକୁ ଚେଷ୍ଟା କରୁଥିଲେ ବି
ତାହା ସିନା ମୋ କର ଅଞ୍ଜଳି ରୁ ଖସିଗଲା,
କିନ୍ତୁ ଧରା ପଡିଯାଇଥିଲା ମୋ ପ୍ରେମଶିକ୍ତ
ନୟନ ପାଖରେ ,
ଯିଏ
ଦୀର୍ଘ ତିରିଶି ବର୍ଷ ଧରି ଖୋଜି ବୁଲୁଥିଲା ହଜାଇ ଦେଇଥିବା ତାର ସେ
ଅପାଶୋରା ମଣିକୁ।
ତମେ ଚାହିଁ ରହିଥିଲ
ଏ ମଣି ହୀନ ଅଶ୍ଵସ୍ଥମା କୁ ନା ?
ଏକ କୈଶୋର ଯୌବନର
ମଧ୍ୟାବସ୍ଥି ଆବେଗ ର ଉଷ୍ମତାରେ
ସେ ସ୍କୁଲ ଦିବସର ଶେଷ ଅପରାହ୍ନ! ଆଉ ସେ ଅପରାହ୍ନର ଗୋଧୂଳିରେ
ଏକା ଜଗନ୍ନାଥ ଥିଲେ ସାକ୍ଷୀ!
ସିନ୍ଦୂର ଟିପାଏ ପିନ୍ଧାଇ ଦେଇ ଥିଲି
ତୁମ କପାଳରେ।
ତୁମେ ଠାକୁରଙ୍କ
ଛଡା ଫୁଲ ତୁଳସୀର ହାର ଆଣି
ପିନ୍ଧାଇ ଦେଇ ଥିଲ ମୋ ଗଳାରେ।
ବାସ୍ ତାପରେ
ମୋ ଜୀବନ ଆକାଶ ରେ କେବଳ
ଗୋଧୂଳିର ଧୁମ୍ରାଛନ୍ନ ଅନ୍ଧକାର ହିଁ ଅନ୍ଧକାର।
ମୁଁ ତ ବଧ କରି ନ ଥିଲି
ଦ୍ରୌପଦୀ ଙ୍କର ପାଞ୍ଚପୁତ୍ର?
ମୁଁ ତ ପ୍ରୟୋଗ କରିବା ପାଇଁ
ଚାହିଁ ନ ଥିଲି କେବେ ବ୍ରହ୍ମାସ୍ତ୍ର?
ତାହା ହେଲେ ମୋତେ ଏ ଅଭିଶପ୍ତ ଜୀବନ କାହିଁକି ପ୍ରାପ୍ତ ହେଲା
କହି ପାରିବ?
ତମ ଭାତୃପ୍ରତିମ ସେଦିନ ତୁମ କପାଳର
ସିନ୍ଦୁର ବିନ୍ଦୁର ପ୍ରତିଦାନରେ
ଅଗ୍ନିରେ ସ୍ବାହା କରିଥିଲେ ମୋର ବାସଗୃହ,
ଓ ବିତାଡିତ କରିଥିଲେ ମୋ ପରିବାର।
ତାଙ୍କର ପତିଆରା ରେ ସେ
ଜଗନ୍ନାଥ ବି ଏକ ଜଡ ବସ୍ତୁ ବୋଲି
ଗାଁ ରେ ପ୍ରମାଣିତ କରି ରଖିଥିଲେ ।
ମାଟ୍ରିକ ବେଷ୍ଟ ହେଇ ବି
ମୁଁ ହେଲି ଶିକ୍ଷାରୁ ବଞ୍ଚିତ,
ସୁଦୁର ଗୁଜରାଟର ସୂତାକଳ ରେ
ପେଶି ହୋଇ ଗଲା ମୋର
ସୁନେଲି ଭବିଷ୍ୟତ।
ଶୁଣିଲି ସେହି ବସନ୍ତରେ
ତମ ସିନ୍ଥିରେ ପୁଣି
ରକ୍ତ ରାଗର କୃଷ୍ଣଚୂଡ଼ା ବରଷିଗଲା।
ତମେ ଡାକ୍ତରୀ ନ ପଢି ବି
ହେଇଗଲ ଡାକ୍ତରାଣୀ।
ବାଃ ବହୁତ ସୁନ୍ଦର ଦିଶୁଛ ତମେ ଆଜି!
ତମ ଓଠର ଲାଲିମା
ଆଜିମନେ ପକାଇ ଦେଉଛି ସେ ଅସ୍ତରାଗର ନାଲି ସିନ୍ଦୁର ବିନ୍ଦୁକୁ,
ତମେ ସୌଭାଗ୍ୟ ବତୀ,
ତମେ ତ ସୀମନ୍ତିନୀ ଡାକ୍ତର ବାବୁଙ୍କର।
ମୁଁ ଆଜି ସୁତାକଳର ଶ୍ରମିକ।
ହେଲେ ମୁଁ ଜିତିଯାଇଛି ତମକୁ
ଏବେ ବି ସାଇତି ରଖିଛି ସେ
ଠାକୁରଙ୍କ ହାରର ସୁତାଖିଅକୁ।
ନିତି ଗୁଜୁରାଟର ଜଗନ୍ନାଥ
ମୋତେ ଟାଣି ଆଣନ୍ତି ତାଙ୍କ ପାଖକୁ
ତାଙ୍କ ନାଲି ଓଠରେ ମୁଁ ଦେଖେ
ତମର ଉଜ୍ଜଳ ମୁଖ ଚନ୍ଦ୍ରମାକୁ।
ସେଥିପାଇଁ ସବୁ ଭଲପାଇବା
ଦେଇ ଦେଇଛି ତାଙ୍କୁ।
ସେ ଅଛନ୍ତି ବୋଲି , ମୁଁ ବି ଅଛି।
ଜୀବନରେ ଗୋଟେ ଥର ସଶରୀରେ ତୁମକୁ ଦେଖିବାକୁ
ଇଛା ରଖିଥିଲି ତାଙ୍କ ପାଖରେ,
ସେ ଆଶା ମୋର ପୂରଣ କରିଦେଲେ
ସେ ଇଛାମୟ।
ଆଜି ମୁଁ ବହୁତ ଖୁସି
ତମେ ଯେ ମୋତେ
ଗୋଟେ ଥର ଦେଖାରେ ଚିହ୍ନିପାରିଲ।
ଆଉ ମୋତେ ଏ ଯାଏଁ
ଭଲ ପାଉଛ ବୋଲି
ଆଖି ତଳକୁ କରି ତମେ ଜଣାଇ ଦେଲ ସବୁ।
ଆରେ ହେ କିଏ ପକାଇ ଦେଇଗଲା
ମୋ ଉପରେ ଏ ଶୀତଳ ଚନ୍ଦନ ?
ଓଃ ତିରିଶ ବର୍ଷର ଶାନ୍ତି ତ
ଆଜି ମୋ ହାତ ମୁଠାରେ।
