ଏଇତ ଜୀବନ
ଏଇତ ଜୀବନ
ଜୀବନ ନୁହେଁତ ଏତେବି ସହଜ
ଛାଇ ଆଲୁଅର ଖେଳ
ଜୀବନ ନୁହେଁତ ଫୁଲର ପାଖୁଡା
କେତେ କଣ୍ଟା କେତେ ଫୁଲ ||
ଏନ୍ତୁଡ଼ି ଶାଳରୁ ଜୁଇ ଯିବା ଯାଏ
କେତେ ଘାତ ପ୍ରତିଘାତ
ସମୟ ସାଥିରେ ଚାଲିବାକୁ ହେବ
କି ବିଚିତ୍ର ଏ ନିୟତ ||
ସୁଖ ଦୁଃଖ ଭରା ଏଇତ ଜୀବନ
ମୁଦ୍ରାର ଦୁଇଟି ପାଶ୍ୱ
କେବେ ହସ ଆଉ କେବେ ପୁଣି ଲୁହ
ରଖିବାକୁ ହେବ ଧର୍ଯ୍ୟ ||
ଜୀବନରେ ଆସେ ଏମିତି ଏକ ଝଡ଼
ଦିଶୁଥାଏ ଅନ୍ଧକାର
ଭାଙ୍ଗି ଦେଇଥାଏ ସପନର କୁଡ଼ିଆ
ଆଶା ହୁଏ ଚୁରମାର ||
ମଣିଷ ଜୀବନ ଅବଶ୍ୟ କଠିନ
ଜିଇଁବା ଲାଗଇ କଷ୍ଟ
ତଥାପି ମନରେ ସାହସ ଜୁଟାଇ
ଚାଲୁଥିବା ଆମେ ବାଟ ||
