STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଏଇ ସେ କୋରାପୁଟ

ଏଇ ସେ କୋରାପୁଟ

1 min
14.4K


ଗିରିରାଜ ଭରା ସୁଶୋଭିତ ଧରା

ଏଇ କୋରାପୁଟ ମାଟି,

କିପରି କହିବି କେଉଁ ଉପମାରେ

ଦେଶେ ଯଶ ଜାରି ନାଆଁଁ'ଟି.

ଦେଖୁଥାଏ ଯେତେ ମନଭରା ସେତେ

ପ୍ରକୃତୀ ରାଣୀର ଠାଣି,

ପଦେ ପଦେ ଅଛି ଯେତେ ତା ବିଭବ

ପଦେ କି କହିବି ଗୁଣୀ.

ଗୁଣରେ ଗାରିମା ପାହାଡ଼ ଉପମା

ଝରଣାର କିଣା ମନ,

ମନଭୁଲା ସେହି କୁଳୁକୁଳୁ ନାଦ

ବାଇଚଢେଇର ସ୍ବନ.

ନୀଳ ସବୁଜିମା ଏଧରଣୀ ମାଆ

ଟିକି ଗାଁ ଦେହେ ଭରା,

ସୁଲୁ ସୁଲୁ ବାଆ ମନ ମତାଣିଆ

ସତେ କି ବସନ୍ତ ପରା.

ଅଧିବାସୀ ସିନା ଆଦିବାସୀ ହେଲେ

ପରଦେଶୀ ମନ କିଣେ,

ନିଶ୍ବାସ ଦେହରେ ବିଶ୍ବାସ ତାହାର

ସବୁରି ମନକୁ ଜିଣେ.

ଦିନସାରା ଖଟି ମାଟିକୁ ସାଉଁଟି

ମୁଠାଏ ପେଟକ ପାଇଁ,

କରି ପରିଶ୍ରମ ଜିବନେ ସଂଗ୍ରାମ

ବଞ୍ଚିତ ଆଶାକୁ ନେଇ.

ପ୍ରପାତର ଶୋଭା କେଡ଼େ ମନଲୋଭା

ପଥିକ ମନକୁ ମୋହେ,

ପତରେ ପଥରେ କଳାର ଚାତୁରୀ

ଅଙ୍କିତ ଯାହାର ଦେହେ।

ଗୁମ୍ଫା ରାଜିତ ଅଙ୍କେ ଶୋଭିତ

କେତେ ଯେ କୀରତି ଖଣି,

ଗୁପ୍ତେଶ୍ଵର ଅବା ଦେଓମାଳୀ କୁହ

ରାଣୀଗୁମ୍ଫା ଧରା ମଣି.

ଆଲୋକର ଖଣି ଡୁଡୁମା କାହାଣୀ

ସୁନାବେଢା ସୁନା ମଣି,

ଦାମନଯୋଡି ଯେ କା ମନ କିଣିନି

କିଏ ନ କହିବ ପୁଣି.

ବହିଯାଏ ନଈ ଅଙ୍କାବଙ୍କା ହୋଇ

ପାହାଡ଼ର କୋଣେ କୋଣେ,

ପ୍ରପାତର ସାଥେ ଝରୁଛି ଝରଣା

ପ୍ରକୃତୀ ମନକୁ କିଣେ.

ପୁରାତନ ଯାର ପୋଶାକ ପାଟୀକା

ପଥରେ ପତରେ ସଜା,

ଫୁଲରେ ଫଳରେ ଗହଣା ଗାଣ୍ଠିଯା

ରୂପ ରଙ୍ଗ ପରିଚର୍ଯ୍ଯା।

ବାରମସେ ତେର ଯାତରା ଜାହାର

ନିଇତି ସକାଳ ସଞ୍ଜେ,

ପଉଷ ଚଇତି ପରବର ମଜା

ମହୂଲ୍ ନୂଆଁଖାଇ ଭିଜେ।

ଦଶରା ଦିଆଲି ସାଙ୍ଗ ସାଥେ ବୁଲି

ମନ୍ ଦିଆନିଆ ବେଳେ,

ଡଙ୍ଗର୍ ଯାତରେ ଦେବୀଙ୍କ ନିକଟେ

ଢୋଲ୍ ମାଦଳର ତାଳେ.

ଏ ମାଟିର ବୀର ପୁରୁଷ ପୌରୁଷ

ଇତିହାସ ପରଦାରେ,

ରହିଅଛି କେତେ ଗୁରୁ ଗଉରବ

ରାଜ ଶାସନର ବେଳେ.

ଏମାଟିର ପୁଅ ଲକ୍ଷ୍ମଣ ବିର୍ଷା

ରଚି ଦେଇଗଲେ ଯାହା,

ବର୍ଚ୍ଛା ମୁନରେ ଜବାବ ଦେଇ ସେ

ଥରାଇ ଇଁରେଜ ହିଆ.

ଗୋଦାବରୀ ସମ ନିର୍ଝରିଣୀ ନଈ

ହିମାଳୟ ସମ ଗିରୀ,

ମୁକୁତା ମାଣିକ୍ୟ ରତ୍ନ ଗର୍ଭା ରାଜି

ଶସ୍ଯ ଶୁସୋଭିତା ଶିରୀ.

ପାହାତ କୋଳରେ ଅଳସୀ କ୍ଷେତରେ

ସକାଳ ସୁରୁଜ ଲୋଭା,

ସଞ୍ଜ କିରଣରେ ମନ ମୋହି ନିଏ

ଧରା ନୀଳମେଘି ରୂପା.

ଚନ୍ଦନରେ ଭରା ନନ୍ଦନବନ ଏ

ଗଜେ ମୋତି ସର୍ପେ ମଣି,

ପରବତେ ଭରା ଶୋଭା ଗରଭା ଏ

ପ୍ରକୃତୀ ରାଣୀର ଖଣି।

ବାଣୀରେ କେତେ ମୁଁ ଭଣିବି ଗାରିମା

ଏ ମାଟିର ଯଶରାଜି,

କିର୍ତ୍ତିରାଜିତ ଏହି କୋରାପୁଟ

ଉତ୍କଳ କିରଟି ଆଜି।

🥀🥀🥀🥀🥀🥀🥀🥀🥀

🌿🌿🌿🌿🌿🌿🌿🌿🌿🌿

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

(୯୧୨୪୦୪୯୧୨୯)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational