ସ୍ତବ୍ଧ
ସ୍ତବ୍ଧ
ପ୍ରଥମ ଦୃଶ୍ୟ :-
ଦିନେ ଲୁଗା ଖଣ୍ଡେ ନ ଥିଲା ରୁକ୍ଷ ଶରୀର ଢାଙ୍କିବାକୁ, କିନ୍ତୁ
ପିଲାମାନେ କିପରି ଭଲ ପୋଷାକ ପିନ୍ଧିବେ ଧ୍ୟାନ ଦେଉଥିଲୁ!
ଶୀତରୁ ବଂଚିବାକୁ ନ ଥିଲା ତୋ ପାଖରେ ଶୀତବସ୍ତ୍ର,
ଥର ଥର ଶରୀର ନେଇ ସୂର୍ଯ୍ୟ ନ ଉଠୁଣୁ-
ବାହାରି ଯାଉଥିଲୁ ନିଜ କାର୍ଯ୍ୟ କ୍ଷେତ୍ରକୁ!
ବାହାନା କରିବାକୁ ମୁଁ କେବେ ଦେଖିନି ତୋତେ
ମୁଁ ସାକ୍ଷୀ ରହିଛି,କେମିତି ତୁ ଅଭିଯୋଗ ନକରି ସବୁ ସହୁଥିଲୁ
ବର୍ଷା ଜଳ ସିନା ତୋର କିଛି କ୍ଷତି କରିପାରୁନଥିଲା,ହେଲେ ବେଳେବେଳେ ଯାହା ଅସହାୟ ଅନୁଭବ ଦେଉଥିଲା ତୋତେ
ଯେବେ ଦେହକୁ ତିନ୍ତେଇ ଜ୍ୱର ଉପହାର ମିଳୁଥିଲା
ହେଲେ,
ସେଥିପାଇଁ ମନରେ ଅଭିଯୋଗ କରିବା ଦୂରରେ ଥାଉ
ସେଥିପ୍ରତି ତୋର ନିଘା ମଧ୍ୟ ରହୁନଥିଲା କେବେ
ଯେ କାହିଁକି ମୋ ସହ ଏପରି ହେଉଛି ।
ଯେମିତି ବର୍ଷା ଆଉ ସୂର୍ଯ୍ୟ ଦିହେଁ ମିଶି
ମୋ ଅବସ୍ଥାକୁ ଉପହାସ କରୁଥିଲେ
କେବେ ମୋର ଭଙ୍ଗା କୁଡ଼ିଆକୁ ସୂର୍ଯ୍ୟଦେବତା
ତାରା ହୋଇ ପ୍ରବେଶ କରୁଥିଲେ ତ
ଯେଉଁଠି ପୁଣି ବର୍ଷା ଜଳରେ ଘରକୁ ପୋଖରୀ ସଜାଉଥିଲେ!
ଦ୍ୱିତୀୟ ଦୃଶ୍ୟ :--
ପଚାରେ ଆଜି ସେଇ ଝାଳ ବୁହା ଶରୀରକୁ
ପାଇଛୁ କେଉଁ ସୁଖ ତୁ ସଂଚୟ କରି ଧନକୁ!
ଆଜି ବୟସର ଶେଷ ସୀମାରେ ଅଛୁ ବୋଲି,
ତୋ ପିଲା ତୋତେ ପଚାରେ ନାହିଁ
କିମ୍ବା ତୋର ଖଣ୍ଡ ବିଖଣ୍ଡିତ ଶରୀରର ଯତ୍ନନାହିଁ
ଏତେ ପରିଶ୍ରମ କୁହ କାହା ପାଇଁ ?
ଦିନେ ପେଟକୁ ଦାନା ଦେବା ପାଇଁ ତ କରୁଥିଲୁ କାର୍ଯ୍ୟ
ଆଜି ସେ ଦିନଗୁଡିକ ହଜିଗଲା କାହିଁ ?
ଶରୀର ସାହାଯ୍ୟ କରୁନି କି,ମନ ସାହାଯ୍ୟ କରୁନାହିଁ
ଏ ମୌନବ୍ରତ ଛଡ଼ା ତୋ ପାଖରେ କିଛି ଉପାୟ ନାହିଁ
କର୍ମ ଧର୍ମ କରିଥିଲୁ ତୁ ନିଜ ପରିବାର ପାଇଁ
ପରିଶ୍ରମ ଆଜି ବି କରୁଛୁ କର୍ତ୍ତବ୍ୟ ପାଇଁ!
ହେଲେ କର୍ତ୍ତବ୍ୟ କରି ମଧ୍ୟ,
କିଏ ବୁଝିବେନି ତୋ ମନକୁ
ଦିନେ ତୁ ଠିକ କହୁଥିଲୁ
ଏ ଦୁନିଆରେ କେହି ନାହିଁ କାହା ପାଇଁ!
କେବଳ ଯାହା,ସମୟ ସ୍ରୋତରେ ଭାସି ନ ଯାଇ
ନିରିଖେଇକି ନ ଦେଖିଲେ ଉତ୍ତର ମିଳେନାହିଁ,
ବୁଝିବାକୁ ପଡେ ନିଜ ମନକୁ ନିଜ ପାଇଁ
ଆଜି ପ୍ରତି ବୃଦ୍ଧବ୍ୟକ୍ତି ପ୍ରଶ୍ନ କରେ କୁଆଡେ ନିଜକୁ
ସେ କରିଥିବା ପରିଶ୍ରମ ସେହି ଦିନକୁ ହଜିଯାଇଥିବା ଦିନକୁ ?
ଯେ କାହିଁକି ?
ପ୍ରଶ୍ନ କଲେ ମଧ୍ୟ ଆଜି ଉତ୍ତର ବଦଳରେ
କେବଳ ଲୁହ ମିଳଇ ଯାହା,
ତଥାପି କେବେ କେମିତି ସମୟ ମିଳିଲେ
ପଚାରି ବୁଝେ ସେଇ ବିତିଯାଇଥିବା ସ୍ରୋତକୁ!
ହେଲେ ସେ ବା କଣ କରିବ?
ସେ ତ ମୂକ ସାକ୍ଷୀ ହୋଇ ଅନୁଭୂତି ଦିଏ ସଭିଙ୍କୁ
ଉତ୍ତର ଆଜିଯାଏ ମିଳିନି କାହାକୁ...
ବେଳେବେଳେ ସ୍ତବ୍ଧ ହୋଇ ସାନ୍ତ୍ୱନା ଦିଏ ଅବୁଝା ମଣିଷକୁ?
