STORYMIRROR

Madhabi Patel

Inspirational

3  

Madhabi Patel

Inspirational

ରାମ ଜନ୍ମଭୂମି

ରାମ ଜନ୍ମଭୂମି

2 mins
165

ଧନ୍ୟ ସେ ଅଯୋଧ୍ୟାଭୂଇଁ ଅବଧ ନଗରୀ

କୋଟି ପୂଣ୍ୟ କରିଥିଲା ରାମଙ୍କୁ କୋଳେ ଧରି।

ସୀତାପତି ରାମଚନ୍ଦ୍ର ପାଦେ ଦେଇ ଚିତ୍ତ।

ଲେଖୁଅଛି ଦୁଇପଦ ତାଙ୍କରି ଚରିତ।

ଇକ୍ଷାକୁ ସୂର୍ଯ୍ୟବଂଶରେ ଦଶରଥ ଘରେ

ଜନ୍ମିଥିଲେ ରାମଚନ୍ଦ୍ର କୌଶଲ୍ୟା କୋଳରେ।

କୌଶଲ୍ୟା କୈକେୟୀ ସୁମିତ୍ରା 

ତିନିମାତା ସ୍ନେହ ପାଇ।

ସୁଖରେ ବାଲ୍ୟ ଜୀବନ ଗଲା ଅତିବାହି।

କୈଶୋରରେ ଗୁରୁଆଶ୍ରମ ବଶିଷ୍ଠ କୁଟୀରେ

ବିଦ୍ୟାର୍ଜନ କରିଥିଲେ ଭ୍ରାତାଙ୍କ ସଂଗରେ।

ବିଦ୍ୟାଶିକ୍ଷା ଅନ୍ତେ ହେଲେ ଅଯୋଧ୍ୟା ଆଗତ

ଋଷି ବିଶ୍ବାମିତ୍ର ଆସି ମିଳିଳେ ତ୍ବରିତ।

ତାଡକା ମାରଣ ପାଇଁ ରାମେ ଭିକ୍ଷା କଲେ

ଦଶରଥ ବାଧ୍ୟହେଇ ସଂଗେ ପଠାଇଲେ।

ରାମ ଲକ୍ଷ୍ମଣଙ୍କୁ ନେଇ ଗଲେ ବିଶ୍ୱାମିତ୍ର

ଅସ୍ତ୍ର ଶସ୍ତ୍ର ଦେଇ ତାଙ୍କୁ କଲେ ସୁରକ୍ଷିତ।

ତାଡକା ମାରିଲେ ରାମ କରିଲେ ଉଦ୍ଧାର

ତାଡକା ଉତ୍ପାତ ତହିଁ ଥିଲା ବାରମ୍ବାର।

ଜନକଙ୍କ ପତ୍ରପାଇ ସୀତା ସ୍ୱୟମ୍ବରେ

ରାମ ଲକ୍ଷ୍ମଣଙ୍କୁ ନେଇ ଋଷି ଚାଲିଗଲେ।

ଧନୁଭଙ୍ଗ କରି ବିଭା ହେଲେ ଜାନକୀଙ୍କୁ

ଉର୍ମିଳା ମାଣ୍ଡବୀ ଶୃତକୀର୍ତ୍ତି ଅନୁଜଙ୍କୁ।

ଉତ୍ସବ ମୁଖର ହେଲା ଅଯୋଧ୍ୟା ନଗରୀ

ରାମରାଜା ହେବେ ବୋଲି ଖୁସିଥିଲା ଭାରି।

ଏ ସମୟେ କୈକେୟୀ ଶୁଣି ପକ୍ଷୀଙ୍କର ଭାଷ

ଅଯୋଧ୍ୟା ରାଜାମରଣ ଚଉଦ ବରଷ।

ରାମଙ୍କ କୁଶଳ ପାଇଁ ଦୋଷି ନିଜେ ହେଲେ

ବର ଦୁଇ ମାଗି ରାମେ ବନକୁ ପେଶିଲେ।

ଏ ଦୁଃଖରେ ରାଜାଙ୍କର ହେଲା ହୃଦଘାତ

ମାତୁଳାଳୟୁ ଫେରିଲେ ଶତ୍ରୁଘ୍ନ ଭରତ।

ରାମଙ୍କୁ ଆଣିବା ପାଇଁ ବଣକୁ ଗମନ

ଭରଦ୍ୱାଜ ଆଶ୍ରମେ ନେଲେ ରାମଙ୍କ ଶରଣ।

କେତେ ମତେ ବୁଝାଇଲେ ଫେରିଲେନି ରାମ

ପିତୃ ସତ୍ୟ ଭଙ୍ଗ କଥା ନୁହେଁ ଭଲ କାମ।

ରାମଙ୍କର ପ୍ରତିନିଧି କଠଉକୁ ଆଣି

ରାଜ ଆସନେ ପ୍ରତିଷ୍ଠା କଲେ ଭକ୍ତିଜାଣି।

ଋଷି ଜୀବନ ବଞ୍ଚିଲେ ନନ୍ଦିଗ୍ରାମେ ରହି

ଶତୃଘ୍ନ ସଂଗରେ ମିଶି ରାଜ୍ୟକୁ ଚଳାଇ।

ବନବାସ ସମୟରେ ସୀତାଙ୍କ ହରଣ

ଲଙ୍କା ରାଜା ଭିଆଇଲା ଏକ ଅଘଟଣ।

ଅନେକ କଷ୍ଟ ସହିଲେ କୌଶଲ୍ୟା ନନ୍ଦନ

ଗିରିଲତା ବନ ସଂଗେ କରିଲେ କ୍ରନ୍ଦନ।

ଜଟାୟୁ ସୁଗ୍ରୀବ ହନୁମାନ ବୀଭିଷଣ

ସର୍ବେ ବନ୍ଧୁତାର ମାନ କରିଲେ ପ୍ରମାଣ।

ବାନରସେନା ସାଂଗରେ ସେତୁବନ୍ଧ କରି

ବହୁକଷ୍ଟେ ପହଞ୍ଚିଲେ ସ୍ୱର୍ଣ୍ଣଲଙ୍କା ପୁରି।

ଭୀଷଣ ସଂଗ୍ରାମ କରି ମାରିଲେ ରାବଣ

ପାପ ନାଶ କରିକଲେ ଧର୍ମ ସଂସ୍ଥାପନ।

ଚଉଦବର୍ଷ ପରେ କଲେ ଅଯୋଧ୍ୟା ଆଗମନ

ଦୀପାବଳୀ ରୂପେ ଲୋକେ ଦେଲେକ ସମ୍ମାନ।

ପ୍ରଜାନୁ ରଞ୍ଜନ କରି କରିଲେ ଶାସନ

ପ୍ରଜାହିତେ କରିଦେଲେ ସୀତାଙ୍କ ବର୍ଜନ।

ଲବକୁଶ ଦୁଇ ପୁତ୍ର ବାଲ୍ମିକୀ ଆଶ୍ରମରେ

ଜନ୍ମଲାଭ ବିଦ୍ୟାଶିକ୍ଷା କଲେ ସେହିଠାରେ।

ରାଜସୂୟ ଯଜ୍ଞସ୍ଥଳେ ପିତାପୁତ୍ର ଭେଟ

ସୀତା ପାତାଳି ହେଇଲେ ହେଇ ମନେ ରୁଷ୍ଟ।

ବାରମ୍ବାର ଅଗ୍ନିପରୀକ୍ଷା ମନେ ଦେଲା ପୀଡା

ଫେରିଗଲେ ନିଜ ଧାମେ ସାରିଇହ କ୍ରୀଡା।

ଲବ କୁଶ ନେଇ ରାମ କରିଲେ ଶାସନ

ରାମ ରାଜ୍ୟ ସୁଖକର ଜନତା କଲ୍ୟାଣ।

ସମୟ ଅନ୍ତେ ସରଜୁରେ ହୋଇ ଅନ୍ତର୍ଧ୍ୟାନ

ପତ୍ୟାବର୍ତ୍ତନ କରିଲେ ବୈକୁଣ୍ଠ ଭୁବନ।

ରାମଥିଲେ ମର୍ଯ୍ୟଦାବନ୍ତ ପୁରୁଷ ଉତ୍ତମ

ସଂପର୍କର ମହତ୍ତ୍ୱ ଗାଥା ଗାଏ ରାମାୟଣ।

ଭାତୃତ୍ୱ ପେମ ବନ୍ଧୁତ୍ୱ ପ୍ରେମ ଗୁଣେ ଗରୀୟାନ

ପତ୍ନୀର କର୍ତ୍ତବ୍ୟ ଶିକ୍ଷା ଦିଏ ରାମାୟଣ।

ରାଜାର କର୍ତ୍ତବ୍ୟ ଆଗେ ଆଉ ସବୁ ସାନ

ରାଜା କରିପାରେ ତ୍ୟାଗ ନିଜ ପ୍ରିୟଜନ।

ଅଯୋଧ୍ୟା ସେ ପୁଣ୍ୟ ଭୂମି ରାମ ଜନ୍ମଭୂମି

ପ୍ରତି ଧୂଳିକଣା ପଥର ପବିତ୍ର ତାର ଜମି।

ଉତ୍ତାଳ ସରଜୁ ଆଜି ପ୍ରଶାରିଛି ବକ୍ଷ

ରାମ ମନ୍ଦିର ପ୍ରତିଷ୍ଠା ରାମରାଜ୍ୟ ଲକ୍ଷ୍ୟ।

ଆରାଧ୍ୟ ବିଜେ ହୋଇବେ ଶୁଭିବ ଜୟରାମ

ପୂଜାର୍ଚ୍ଚନାରେ ଲାଗିବ ହେବ ପୂଣ୍ୟକାମ।

ଉଡ୍ର ଦେଶେ ଅଯୋଧ୍ୟା ରାମରାଜ୍ୟ ସମ

ସୁଶାସନ ପାଉ ଜନତା କରୁପୁଣ୍ୟ କର୍ମ।

ଜାତିଧର୍ମ ନିର୍ବିଶେଷେ ଏକତାର ମନ୍ତ୍ରେ

ଦେଶହିତ ଚିନ୍ତନରେ ରହନ୍ତୁ ସମସ୍ତେ।

ପ୍ରେମିକ ପ୍ରବର ଏକ ପତ୍ନୀବ୍ରତ ରାମ

ସୁବର୍ଣ୍ଣ ଜାନକୀ ନେଇ କଲେ ଯଜ୍ଞ କାମ।

ଜୟରାମ ଜୟ ରାମ ଜୟ ସୀତା ରାମ

ତବ ଅନୁଗ୍ରହେ ହୁଏ ପୂର୍ଣ୍ଣ ସବୁ କାମ।



Rate this content
Log in

Similar oriya poem from Inspirational