ସେଇ ଶୀତରେ କିଛି
ସେଇ ଶୀତରେ କିଛି
ପ୍ରକୃତି ରାଣିଟା ଶୀତେ ଥରି ଥରି
ସରି ସରି ଯାଏ ଅଙ୍ଗରୁ ଆଭା
ମଉଳି ଗଲାଣି ଧରଣୀ ସୁଷମା
ଆଉ ନାହିଁ ତାର ପୂରୁବ ଶୋଭା ।
ପରବତ କୋଳୁ ସବୁଜ ବନାନୀ
ଦିଏ ପତ୍ର ଝଡ଼ା ହୁଅଇ ଥୁଣ୍ଟା
କୋହଲା ପାଗର ଦରଦ ପରଶେ
ସଳଖୀ ହେଉନି ଆଣ୍ଠୁ ଓ ଅଣ୍ଟା ।
ଦୁବ ଘାସ ଶୁଖେ ଶୀତର ପ୍ରକୋପେ
ଧରଣୀ ଫାଟଇ ଶୁଖଇ ଜଳ
ପ୍ରାଣୀଏ ଆତୁର ସେଇ ଶୀତ ଭୟେ
ଲୋଡ଼ନ୍ତି ଗରମ ସ୍ପର୍ଶ ସକଳ ।
ଶୀତେ ମୃଦୁ ବର୍ଷା ଲଘୁଚାପ ଭୟ
ପାଚିଲା ଧାନରେ ମୋଇ ବୁଲାଏ
ବରଷକେ ଥରେ ମିଳିବା ଆଶାରୁ
ବିଚରା ଚାଷୀ'ଟା ହତାଶ ହୁଏ ।
କୋହଲା ପବନ ଦୋହଲାଇ ଦିଏ
ଶରୀର ଭିତର ଅସ୍ଥି ମାଉଁସ
ଶୀତଋତୁ ଭୀତ ଜଗାଏ ମନରେ
ଗରମ ପରଶେ ସୁଖ ବିଶେଷ ।
ବୁଢ଼ା ବୁଢ଼ୀଏ'ତ ଥୁଡୁଥୁଡୁ ହୋଇ
ନିଆଁ ଉମ୍ହେଇର ପାଖରେ ବସି
ଆଧୁନିକ ଯୁଗ ପିଲାଏ ପିଅନ୍ତି
ଗରମ ସୁପ୍ ହୋଇଣ ଖୁସି ।
ଚାଟ୍ ଚଉମିନି ପିଜା ବରଗର
ଆଧୁନିକ ସମାଜକୁ ଖାଇଲା
ଆଡ଼ିସା କାକରା ଏଣ୍ଡୁରି ଗଇଁଠା
ମଣ୍ଡା ପୋଡ଼ପିଠା ସବୁ ହଜିଲା ।
ଯୁବକ ମେଳରେ ଆଗ ଭଳି ନାହିଁ
ନିଆଁ ପୁଆଁ ମଜା ମକୁନ୍ଦି ଖିଆ
ମୁଢ଼ି ଚଣା ଭଜା କା'ହାତେ ଦିଶୁନି
ସାଜିବା ଦିନରୁ ମୋବାଇଲ ବାୟା ।
ମଠରୁ ଶୁଭୁନି ଶୀତୁଆ ସଂଞ୍ଜର
ଗୀତା ଭାଗବତ କୀର୍ତ୍ତନ ଖୋଳ
ସବୁ ହଜିଲାଣି ଆଧୁନିକତାରେ
ଆଗ ଭଳି ନାହିଁ ମେଳ ଚହଳ ।
ଶୀତଦିନେ ଦୂର ସହରେ ଅପେରା
କଳା ସାଂସ୍କୃତିକ ଜାନି ଯାତରା
ହଜିହଜି ଯାଏ ବିଜ୍ଞାନ ବଳରେ
ନାହିଁ ଆଉ ତାର ଆଦର ଧାରା ।
ତଥାପି ଏ ଶୀତ ଆସୁଛି ଆସିବ
ବରଷକୁ ଥରେ ଧରା ବକ୍ଷରେ
ମଣିଷଟା ସିନା ଭୂଲିଲାଣି ନିଜ
ବଡ଼ିମା ସହିତ ବିଜ୍ଞାନାଗାରେ ।
ପ୍ରକୃତିଟା ଆଜି କଦର୍ଯ୍ୟ ସାଜୁଛି
କୃତ୍ରିମ ଉତ୍ପନ୍ନ ବିଜ୍ଞାନ ବଳେ
ସେ ବିଜ୍ଞାନ ବଳେ ପରିବେଶ ସାଥେମା
ନବ ସମାଜ ଧରାରେ ଖେଳେ ।
ହୁଅ ହେ ଜାଗ୍ରତ ନକର କଦର୍ଯ୍ୟ
ଶିକ୍ଷା ପରିବେଶ ସଂସ୍କାର ନୀତି
ସବୁ ସରିଯିବ ହୋଇଯିବେ ଯେବେ
ପରିବେଶ ସାଥେ ପ୍ରକୃତି ସାଥୀ ।