STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ମୁଁ ହିଁ ରାଷ୍ଟ୍ରବାଦୀ

ମୁଁ ହିଁ ରାଷ୍ଟ୍ରବାଦୀ

2 mins
176


"ମୁଁ" ହିଁ ତ ଏକମାତ୍ର ମାର୍କାମରା ରାଷ୍ଟ୍ରବାଦୀ

ରାଷ୍ଟ୍ରପ୍ରେମୀ ରାଷ୍ଟ୍ରଭକ୍ତ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ

"ରାଷ୍ଟ୍ର ସର୍ବୋପରି" ମନ୍ତ୍ର ରଟି ରଟି ଦିନରାତି

ଆଜି ହୋଇଛି ଆସୀନ ଶାସନ ଗାଦିରେ!!୧!!


ମୋ ଉଚ୍ଚାରଣ ଆଚରଣ ଚିନ୍ତା ଓ ଚେତନା 

ସବୁ ତ କେବଳ ହିଁ କେବଳ ରାଷ୍ଟ୍ରର ହିତରେ

ରାଷ୍ଟ୍ରବାଦୀ ରାଷ୍ଟ୍ରଭକ୍ତି ସଙ୍ଗୀତ କରଇ ଗାନ 

ମୁହିଁ ନିରନ୍ତର ଶୟନ ସ୍ଵପନେ ଜାଗରଣରେ!!୨!!


ମୁଁ କହିଥାଏ ଯାହା ତାହା ଶତ ପ୍ରତିଶତ ସତ୍ୟ 

ସେଥିପାଇଁ ମୋ ନାମ ଏଇ ଜଗତେ ବିଖ୍ୟାତ 

ମୁଁ ସପନବଣିକ ବିତରଣ କରେ ସ୍ୱପ୍ନ ଅଗଣିତ 

ସଭିଏଁ ମୋହର ଗୁଣମୁଗ୍ଧ ସ୍ତାବକ ଦୃଢ଼ ସମର୍ଥକ!!୩!!


ରାଷ୍ଟ୍ରର ହିତରେ ମୁହିଁ ସଦାସର୍ବଦା ସମର୍ପିତ 

ଔଜସ୍ୱିନୀ ଭାଷଣ ଭାଷିବାରେ ହୋଇଛି ସିଦ୍ଧିପ୍ରାପ୍ତ 

ବାକ୍ୟର ଜାଦୁଗରୀରେ ମୁଁ ଯେ' କରଇ ଭ୍ରମିତ 

"ସୁଦିନ"ର ଭେଳିକିରେ ଜିଣି ନେଇଛି ଜନମତ!!୪!!


ଦେଖି ଦେଖି ଦେଶର ଦୁର୍ଦ୍ଦଶା ପିଲାଟିଦିନରୁ 

ରାଷ୍ଟ୍ରର ଆର୍ଥିକ ବିକାଶ ଲାଗି ମୁଁ ଚିର ଉଦ୍ୟତ 

କତିପୟ ପୁଞ୍ଜି ଐରାବତଙ୍କ କର କମଳରେ 

ଅର୍ପି ଦେଇଅଛି ମୁହିଁ ନିର୍ବିଚାରେ ରାଷ୍ଟ୍ରୀୟ ସମ୍ପଦ!!୫!!


କରିବାକୁ ଦେଶ ଓ ଜାତିକୁ ଉନ୍ନତ ବିକଶିତ 

ଯୋଜନା ପରେ ଯୋଜନା ହୋଇଛି ପ୍ରଣିତ

ଯୋଜନା ସବୁ ହୋଇଛି କେତେ ଫଳପ୍ରଦ 

କେହି ଜିଜ୍ଞାସା କରିଲେ ମୁହିଁ ନଖୋଲଇ ମୁଖ!!୬!!


ପ୍ରଚାର ସର୍ବସ୍ୱ ମୋହର ରାଷ୍ଟ୍ରନୀତି ରାଜଧର୍ମ 

ପ୍ରଚାରରେ କରୁଥାଏ ପ୍ରଜାର ସନ୍ତୋଷ ବିଧାନ 

ପ୍ରତିବଦ୍ଧ ମୁହିଁ ଦେବା ପାଇଁ ଉତ୍ତମ ଶାସନ 

ସେଥିପାଇଁ କରୁଥାଇ ସଦା ବିଦେଶେ ଭ୍ରମଣ!!୭!!


ମୁଁ' ହିଁ ରାଷ୍ଟ୍ର ପୁଣି ରାଷ୍ଟ୍ରର ପ୍ରଧାନ ସେବକ 

ରାଷ୍ଟ୍ର ହିତ ଲାଗି ମୋ ଜୀବନ କରିଛି ଉତ୍ସର୍ଗ 

ମୁଁ ନିଅଇ ବେଳେ ବେଳେ ଏମିତି ବଳିଷ୍ଠ ନିଷ୍ପତ୍ତି 

ଯାହା ଘୁରାଇଦିଏ ସାରା ଦୁନିଆର ମତି!!୮!!


ବିରୋଧୀ ଯେତେକ ଧରିଛନ୍ତି ଗୋଡ଼ ଟଣା ନୀତି

ସେମାନଙ୍କ ପାଇଁ ହୋଇ ପାରୁନି ଦେଶର ପ୍ରଗତି 

ମୋ କାର୍ଯ୍ୟଧାରାକୁ ଯିଏ ବା କରଇ ବିରୋଧ

ରାଷ୍ଟ୍ରଦ୍ରୋହୀର ଆଖ୍ୟାରେ ହୁଏ ଆଖ୍ୟାୟିତ!!୯!!


ମୋହର ଶିକ୍ଷା ଦୀକ୍ଷା ବୌଦ୍ଧିକ ପରାକାଷ୍ଠା 

ସବୁ କିଛି ରାଷ୍ଟ୍ର ହିତେ ମୋତେ କରଇ ପ୍ରେରିତ 

ମୁଁ ନୁହେଁ ରାଜନେତା ମୁଁ' ହିଁ ଅଟେ ରାଷ୍ଟ୍ରନାୟକ 

ମୋ ପ୍ରତି ସମସ୍ତଙ୍କର ଅଛି ପ୍ରଗାଢ଼ ଆନୁଗତ୍ୟ!!୧୦!!


ମୁଁ' ହିଁ ବାସ୍ତବରେ ଏଇ ରାଷ୍ଟ୍ରର ବିକାଶ ପୁରୁଷ 

ମୁଁ' ହିଁ ସ୍ଵୟଂ ଅଖଣ୍ଡ ଭାରତବର୍ଷର ଅସ୍ମିତା ଅସ୍ତିତ୍ୱ 

ଆନର କୁତ୍ସାରଟନାରେ ନୁହେଁ ତିଳେ ବିଚଳିତ 

କାରଣ ମୁହିଁ ଏକା ସଚ୍ଚା ରାଷ୍ଟ୍ରବାଦୀ ରାଷ୍ଟ୍ରଭକ୍ତ!!୧୧!!


ଅଧୁନା ରାଷ୍ଟ୍ରର ଦୁଃସ୍ଥିତି ଲାଗି ଦାୟୀ ପୂର୍ବସୂରୀ

ମୁହିଁ ଚାଲିଛି କେବଳ ତାହାଙ୍କ ପଦାଙ୍କ ଅନୁସରୀ 

ଭକ୍ତବୃନ୍ଦ ମୋହର ରୋଷ ବହି ନଧରିବ ଦୋଷ 

ମୁଁ' ହିଁ ତ ଏକମାତ୍ର ରାଷ୍ଟ୍ରବାଦୀ ରାଷ୍ଟ୍ରପୁରୁଷ!!୧୨!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational