STORYMIRROR

Geetanjali Prusty

Inspirational

3  

Geetanjali Prusty

Inspirational

ଡକ୍ଟର ରାଧାନାଥ ରଥ

ଡକ୍ଟର ରାଧାନାଥ ରଥ

2 mins
270


ଉତ୍କଳ ମାତାର ଯୋଗ୍ୟତମ ସୁତ

କୋଟି ଜନତାର ମଉଡମଣୀ

ଆଠଗଡ଼ ଠାରେ ଲଭିଲ ଜନମ

ସତ୍ୟ ଚେତନାର ଉନ୍ମେଷ ବୁଣି ll


ଅଠର ଶହ ଛୟାନବେ ବର୍ଷ

ଡିସେମ୍ବର ଛଅ ଦିନ

ପିତା ଜଗନ୍ନାଥ ମାତା କମଳୀଙ୍କ

କୋଳ କରିଲ ମଣ୍ଡନ ll


ବାଲ୍ୟଶିକ୍ଷା ତୁମ ବାଲେଶ୍ୱରେ ସାରି

ଆସିଲ ରେଭେନ୍ସା ଭୂଇଁ

କଲିଜିଅଟେରେ ମାଟ୍ରିକୁଲେସନ

ସାରିଲ ଉତ୍ତୀର୍ଣ୍ଣ ହୋଇ ll


ଆହେ *ରାଧାନାଥ* ଚଢ଼ି ସେଵା ରଥ

ବୁଲିଲ ଉତ୍କଳ ଭୂଇଁ

ଯାହାର ଜନତା ଆରାଧ୍ୟ ଦେବତା

କାଳିଆକୁ ସେବି ଥାଇ ll


ସେହି ଉତ୍କଳର ଜନସେଵା ପାଇଁ

ଉତ୍ସର୍ଗ କରିଲ ପ୍ରାଣ

ତୁମେ ଦେଖାଇଲ ଜ୍ଞାନର ଆଲୋକ

ସତ୍ୟ ଶାନ୍ତିର ସନ୍ଧାନ ll


ସିଂହଭୂମି ଠାରୁ କିରାଣୀ ଚାକିରୀ

କରିଦେଲ ପରିତ୍ୟାଗ

ସତ୍ୟବାଦୀ ପ୍ରେସ ପରିଚାଳନାର

ବରିଲ ଗୁରୁ ଦାୟିତ୍ୱ ll


ପାଞ୍ଚ ପାଞ୍ଚ ଥର ବିଧାନସଭାକୁ

ସଭ୍ୟ ହୋଇ ବଛା ହେଲ

ଆଠଗଡ଼ ଠାରେ ଜାତୀୟ କଂଗ୍ରେସ

ବାନା ଦର୍ପେ ଉଡାଇଲ ll


ବହୁ ବିଭାଗରେ ମନ୍ତ୍ରୀ ହୋଇ ତୁମେ

କାର୍ଯ୍ୟଭାର ସମ୍ଭାଳିଲ

ନବକୃଷ୍ଣ ଚୌଧୁରୀ ଓ ମହତାବଙ୍କର

ମନ୍ତ୍ରୀ ମଣ୍ଡଳେ ରହିଲ ll


ଦକ୍ଷତା ତୁମର ଶ୍ରେଷ୍ଠ ମାନଦଣ୍ଡ

ସତ୍ୟ ଅହିଂସାର ପଥେ

'ଭାରତ ଛାଡ'ରେ ଯୋଗ ଦେଇଥିଲ

*ମହାତ୍ମା ଗାନ୍ଧୀ* ଙ୍କ ସାଥେ ll


ଦୁଇ ବର୍ଷ କାଳ ବନ୍ଦୀ ଜୀବନ ବି

କାରାଗାରେ ବିତାଇଛ

ଆତ୍ମ ସ୍ୱାର୍ଥଟିକୁ ଜଳାଞ୍ଜଳି ଦେଇ

ଜାତି ଯଜ୍ଞେ ସମର୍ପିଛ ll


ସେଵା ପାଇଁ ତୁମେ *ଦୈନିକ ସମାଜ*

ଚାଳନାରେ ହେଲ ବ୍ରତୀ

ଲେଖନୀ ଚଳାଇ ଉତ୍କଳ ମଣିଙ୍କ

ଆଦର୍ଶରେ ହେଲ ସାଥୀ ll


ଲୋକସେବକ ମଣ୍ଡଳର ତୁମେ

ଆଜୀବନ ସଭାପତି

ସେବାର ଦୁନିଆଁ ତୁମେ ଦେଖାଇଲ

ଦୁଃଖୀ ଜନତାର ସାଥୀ ll


ନିର୍ଭୀକ ସାହସୀ *ରଥ ଆଜ୍ଞା* ତୁମେ

ସାବିତ୍ରୀଙ୍କୁ ସାଥୀ କରି

ଜୀବନ ଯାତ୍ରାରେ ରଚିଗଲ କୀର୍ତ୍ତି

ଅଦମ୍ୟ ଉତ୍ସାହ ଭରି ll


ବନ୍ୟା ବାତ୍ୟା ପୁଣି ମରୁଡି ସମୟେ

ସମାଜ ରିଲିଫ ପାଣ୍ଠି

ସହାୟତା ହାତ ଆଗେ ବଢ଼ାଇଛ

ଅନେକ ପାହାଚ ଉଠି ll


ସ୍ନେହ ମମତାର ଉତ୍ସକୂପ ତୁମେ

ଏ ଜାତିର କର୍ଣ୍ଣଧାର

କର ସ୍ପର୍ଶେ ତୁମ ହେଳା ଉଜ୍ଜୀବିତ

ଦୀର୍ଘ ଏକ ଶତାବ୍ଦୀର ll


ତୁମ ଗୌରବର ଉପହାର ରୂପେ

*ପଦ୍ମ ଭୂଷଣ* ଉପାଧି

ତା'ସଙ୍ଗେ ଓଡ଼ିଶା ସାହିତ୍ୟ ଏକାଡେମୀ

ପୁରସ୍କାର ହେଲ ପ୍ରାପ୍ତି ll


*ଉତ୍କଳ ରତ୍ନ* ସମ୍ମାନ ସାହିତ

ଡକ୍ଟରେଟ ଉପାଧି ଧରି

ବହୁ ପୁରସ୍କାର ଲଭିଲ ଜୀବନେ

କିଏ ହେବ ତୁମ ସରି ll


ଉଣେଇଶି ଶହ ଅଠାନବେ ବର୍ଷ

ଫେବୃଆରୀ ଏଗାରରେ

ମାଘ ପୂର୍ଣ୍ଣିମାରେ ମହାପ୍ରୟାଣରେ

ଲୀନ ହୋଇଲ ଅଗ୍ନିରେ ll


ସତ୍ୟବାଦୀ ଠାରେ ଶମଶାନ ପୀଠେ

ଜଳିଲା ତୁମର ଜୁଇ

ଶୋକାର୍ତ୍ତ ଜନତା ବ୍ୟାକୁଳ ହୋଇଲେ

ସେ ଶିଖାକୁ ଚାହିଁ ରହି ll


ଜାତି କର୍ଣ୍ଣଧାର ଛାଡ଼ି ଚାଲିଗଲ

ମମତାର ଅଶ୍ରୁ ବହେ

ପ୍ରକମ୍ପିତ ହେଳା ସବୁରି ମୁଖରେ

ବାବୁଜୀ ଅମର ରହେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational