STORYMIRROR

Jagannath Barik

Abstract Classics Inspirational

3  

Jagannath Barik

Abstract Classics Inspirational

ଏଇ ମୋ ପ୍ରିୟ ଜନ୍ମଭୂଇଁ

ଏଇ ମୋ ପ୍ରିୟ ଜନ୍ମଭୂଇଁ

2 mins
353

ଏଇ ମୋ ପ୍ରିୟ ଜନ୍ମଭୂଇଁ , ଉତ୍କଳ ଯାର ନାଆଁ

ସାଗର କୂଳେ ବଡ଼ଦେଉଳେ ଜଗତ ନାଥ ସାହା

ପ୍ରାଚ୍ୟ ଭୂଖଣ୍ଡ ହୀରକ ଖଣ୍ଡ, ଶୋଭାର ଗନ୍ତାଘର

ଭାରତ ସର ପୁଣ୍ୟ କମଳ   ନାହିଁ ଯା ପଟାନ୍ତର

ନଦୀ ମେଖଳା ବନ କୁନ୍ତଳା ଶସ୍ୟ ଶ୍ୟାମଳା ମାଆ

ଏଇ ମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

ଚଣ୍ଡାଶୋକକୁ ଧର୍ମାଶୋକ କରଇ ଯେଉଁ ମାଟି

ଭକତପାଇଁ ଦେବତା ଯହିଁ ଯୁଦ୍ଧକୁ ଯାନ୍ତି ଛୁଟି

ବୋଇତ ନେଇ ଯାର ତନୟୀ ଦରିଆ ପାରେ ଠିଆ

ଏଇ ମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

ମେଘବାହନ ଖାରବେଳଙ୍କ ଦିଗବିଜୟୀ ଗାଥା

ଅନଙ୍ଗଭୀମ ଯଯାତି କୀର୍ତ୍ତି ଉଚ୍ଚ କଲା ଯା ମଥା

ଯା ବାରବାଟୀ ଦୁର୍ଗକୁ ଦେଖି ଥରେ ଅରାତି ହିଆ

ଏଇ ମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ ।

ଯେ ଜାତି ଶିଳା ଭାସ୍କର୍ଯ୍ୟ କଳା ସ୍ବର୍ଣ୍ଣ ତ୍ରିଭୁଜେ ଅଙ୍କା

ତରକସିରେ ବାନ୍ଧ ଶିଳ୍ପରେ ଜଗତ ମନ ରଙ୍କା

ଚଉରା ମୂଳେ ମୁରୁଜ ଝୋଟି ଆହା କି ମନଛୁଆଁ |

ଏଇ ମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

ଵାର ବର୍ଷର ବଢ଼େଇ ପୁଅ ମାରେ କୋଣାର୍କ ଚୂଳୀ

ବାଳୁତ ବାଜି ଦେଶ ପାଇଁକି ଦେଇଛି ପ୍ରାଣବଳି

ନେତାଜୀ ଡାକେ ବ୍ରିଟିଶ କମ୍ପେ ଆଜାଦ ହିନ୍ଦ ନାହା

ଏଇମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

ବାଉଁଶ କାଠି ଦିଖଣ୍ଡ ଧରି ଯା ପୁଅ ମାପେ ନଭ

ଜାତିର ସ୍ରଷ୍ଟା ମଧୁବାବୁ ତ ଉତ୍କଳ ଗଉରବ

ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ଆଜି ଥୁଆ |

ଏଇ ମୋ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

ଏ ଜାତି କବି ଉପେନ୍ଦ୍ର କହି ପାରଇ ଭୁଜ ତୋଳି

ରବିତଳରେ କବିପଣରେ ଯିବ କେ ତା'ଠୁ ବଳି

ଅତିବଡ଼ିଙ୍କ ଶ୍ରୀଭାଗବତ ଜାତିର ଧର୍ମ ନାଆ |

ଏଇ ମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

କେଡ଼େ ଉତ୍କର୍ଷା ଆମରି ଭାଷା ସଂସ୍କୃତ ସମକକ୍ଷ

ଲଭି ଶାସ୍ତ୍ରୀୟ ମାନ୍ୟତା ପୂର୍ତ୍ତୀ କରିଛି ଜାତି ଲକ୍ଷ୍ୟ

ଓଡିଶୀ ନୃତ୍ୟ ଗୀତ ନାଟକ ବୁହାଏ ଯଶ ବାଆ |

ଏଇ ମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |

ପରକୁ ଆପଣାର କରିବା କଳା ଆମକୁ ଜଣା

ବାର ମାସରେ ତେର ପରବ ପ୍ରସ୍ତୁତି ପିଠାପଣା

ଆମ ପଖାଳ ଖାଇଛି ଯିଏ ଝୁରି ହେଉଛି ଆହା |

ଏଇମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ

ବକ୍ସି ଜୟୀ ବିଜୁଙ୍କ ଭୂଇଁ ଯାତକେ ନାହିଁ ଭୟ 

ନବୀନ ସୂତ୍ରେ ଏକତା ମନ୍ତ୍ରେ କରିବା ବିଶ୍ୱ ଜୟ

ଆମେ ଓଡ଼ିଆ ଭାରି ବଢ଼ିଆ ବାହିବୁ ଜାତି ନାଆ 

ଏଇମୋ ପ୍ରିୟ ଜନ୍ମଭୂଇଁ ଉତ୍କଳ ଯାର ନାଆଁ |



Rate this content
Log in

Similar oriya poem from Abstract