ଏଇ ଭାରତ ବର୍ଷରେ
ଏଇ ଭାରତ ବର୍ଷରେ
ଦିନେ ଏଇ ଜମ୍ଵୁଦ୍ବୀପ,
କହୁଥିଲା କଥା ଭାରତ ମାତାର
ଉତ୍କଳ ଦେଶ ବୀରତ୍ଵ
ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ
ବିସ୍ତୃତ ଶାସନ କ୍ଷେତ୍ର
ଦିନେ ଏଇ ଜମ୍ଵୁଦ୍ବୀପ ।
ଏଇ ଭାରତ ବର୍ଷରେ
ଶାସନ କରିଲା ଫିରିଙ୍ଗି ଶାସକ
ଏଇ କଳିଙ୍ଗରୁ ଶେଷରେ
ପାଇକ ସୈନିକ ଆତ୍ମବଳି ଦେଖି
ନିର୍ବାକ ହୋଇଲା ଏଠାରେ
ଏଇ ଭାରତ ବର୍ଷରେ ।
ନେତାଜୀ ସୁବାଷ ଓଡିଶା ଦେଶର
(ପ୍ରଥମେ) ତ୍ରିରଙ୍ଗା ଉଡାଇ ଥିଲାରେ
ଜୟୀ ରାଜଗୁରୁ ଚକରା ବିଶୋଇ
ବାଜି ରାଉତଙ୍କ ରକ୍ତରେ
ଏଇ ଭାରତ ବର୍ଷରେ ।
ହୃତ୍ କମ୍ପିତ ହେଲା ଆଜାଦ୍ ହିନ୍ଦ୍ ର
ସେ ଫଉଜଙ୍କ ଡାକରାରେ
ଥରିଲା ଭାରତେ ଗୋରା ପଲଟଣ
ଓଡିଆଙ୍କ ଅଟ୍ଟହାସ୍ୟରେ
ଏଇ ଭାରତ ବର୍ଷରେ ।
ଗୋରା ସରକାର ବୁଦ୍ଧିବଣା ହେଲା
ରାତି ରାତି ଛାଡି ଗଲାରେ
ଉଡିଲା ତ୍ରିରଙ୍ଗା ଜାତୀୟ ନିଶାଣ
ସ୍ଵାଧୀନ ଭାରତ ଦେଶରେ
ଏଇ ଭାରତ ବର୍ଷରେ ।
ମୋହନ ଦାସର ଟୋପା ଟୋପା ରକ୍ତ
ଗୋପବନ୍ଧୁ ହାଡ ମାଂସରେ
ସ୍ଵରାଜ୍ୟ ଆସିଲା ଭାରତେ ଉତ୍କଳ
ସବୁଦିନ ଥିଲା ଥିବରେ
ଏଇ ଭାରତ ବର୍ଷରେ ।
ଏଇ ଭାରତର ମହାନ ସଂସ୍କୃତି
ମହାନ ୟା ପରମ୍ପରାରେ
କହି ଯାଇଛନ୍ତି ସ୍ଵାଧୀନତା ମନ୍ତ୍ର
ଅହିଂସା ଆମର ଧର୍ମରେ
ଏଇ ଭାରତ ବର୍ଷରେ ।
ଜମ୍ଵୁଦ୍ବୀପ ଏହି ଭ୍ରଥ ଖଣ୍ଡ ଏଇ
ଜାଜ୍ଜ୍ୱଲ୍ୟମାନ ତା' ବେଶରେ
ଗୁରୁ ପରମ୍ପରା ଗୁରୁର ଦେଶ ୟେ
ବିଦ୍ୟମାନ ଧାତ୍ରୀ କୋଳରେ
ଏଇ ଭାରତ ବର୍ଷରେ ।
ସୁଜଳା ସୁଫଳା ଶ୍ୟାମ ରଙ୍ଗ ଧାରା
ଭାରତର ପ୍ରତିଛବିରେ
ଗଙ୍ଗା ଗୋଦାବରୀ ହିମାଳୟ ଗିରି
ଠିଆ ହୋଇଅଛି ଗର୍ବରେ
ଏଇ ଭାରତ ବର୍ଷରେ ।
ଆସ ଉଡାଇବା ତ୍ରିରଙ୍ଗା ପତାକା
ସବୁଘରେ ପଲ୍ଲୀ,ସହରେ
ସଗର୍ବେ ଗାଇବା ଜାତୀୟ ସଂଗୀତ
ସର୍ବେ ମିଶି ଏକ ସ୍ଵରରେ
ଏଇ ମୋ ଭାରତ ବର୍ଷରେ ।
