ଏହି ମୋ ଜନ୍ମଭୂଇଁ
ଏହି ମୋ ଜନ୍ମଭୂଇଁ
ସ୍ୱର୍ଗୁ ମହାନ ଓଡିଶା ମାଟି ଏହି ମୋ ଜନ୍ମଭୂଇଁ
ସବୁଜ ବନ ନୀଳ ଗଗନ ମନକୁ ଦିଏ ମୋହି ।
ସାଗର ରାଜେ ଏହି ରାଇଜେ ସରିତ ଯାଏ ବହି
ମାତୃଭୂମିର ଚରଣ ଧୁଏ ବନ୍ଦନା ଗାଇ ଗାଇ ।
ନିର୍ଭୀକ ବାଜି ଶହୀଦ ସାଜି ଅମର ହୁଏ ଯହିଁ
ପୂଣ୍ୟ ଭୂମିର ଯୋଗ୍ୟ ଦାୟାଦ ଓଡ଼ିଆ ପୁଅ ମୁହିଁ ।
ପାଣି ପବନେ ଗଢ଼ା ମୋ ତନୁ କେତେ କଷଣ କହି
ମୋର ଜୀବନ ହୋଇଛି ଧନ୍ୟ ମାଆର ଭାଷା କହି ।
ମୋ ମାତୃଭୂମି ମାତୃଭାଷାର ଗୌରବ ଗାଥା ଗାଇ
କେତେ ଯେ କବି ମହାପୁରୁଷ ଏ ଦେଶେ ଥିଲେ ରହି ।
ଶ୍ରୀକ୍ଷେତ୍ରେ ବିଜେ ଜଗତନାଥ ନୀଳ କନ୍ଦର ସାଇଁ
କରନ୍ତି ଦାନ କରୁଣା ମୈତ୍ରୀ ପତିତ ଜନେ ଚାହିଁ ।
ଜାତିର ପ୍ରାଣ 'ଉତ୍କଳମଣି' ଦୁର୍ଦ୍ଦିନେ ଆଜି କାହିଁ ?
ବନ୍ୟା ବତାସ ଦୁର୍ଭିକ୍ଷରେ ଯେ କାନ୍ଦଇ କଇଁ କଇଁ ।
ଗୌରୀଶଙ୍କର,ମଧୁସୂଦନ ମାନବ ସେବା ପାଇଁ
ମହା ମାନବେ ସରଗ ପୁରୁ ଆସିଥିଲେକି ଧାଇଁ ।
ଏକତା ମନ୍ତ୍ରେ ହେବୁ ଦୀକ୍ଷିତ ସରବେ ଆମେ ଭାଇ
ଛାତିକୁ ଛାତି ମିଶାଇ ଦେବୁ ନଥିବ ଭେଦ ତହିଁ ।
