ଏହି ଝଡ ପରେ
ଏହି ଝଡ ପରେ
ଏହି ଝଡ ପରେ
ଚାଲ କିଛି କ୍ଷଣ ବସିବା ,
ସାଗର ର ଅଗଣିତ ଅଶାନ୍ତ ଲହରୀ ରେ
ଧୋଇ ହୋଇ ଯାଇଥିବା ବାଲୁକା ଶଯ୍ୟାରେ,
ଅନୁଭବ କରିବା ସେଇ ଯନ୍ତ୍ରଣା କୁ,
ଯାହା ଛୋଟ ଛୋଟ ବାଲିଘରକୁ
ଉଦରସ୍ଥ କଲାବେଳେ
ସମୁଦ୍ର ଦେଇ ଗଲା ।
ଏହି ଝଡ ପରେ
ଚାଲ କିଛି କ୍ଷଣ ବସିବା,
ତୋଫାନ୍ ରେ ଧ୍ବସ୍ତ ଛପର ଓ ଆଜବେଷ୍ଟସ୍ ଉପରେ ,
ସେଇ କ୍ଷତିରୁ ଆକଳନ କରି ନେବା,
ଆମ ସଂପର୍କ ଛାତର ଦମ୍ଭ ,
ହିସାବ କରି ନେବା,
କେତେ ଭାଙ୍ଗି ଦେଇଛି ଏ ଝଡ
ଆଉ କେତେ ଭରି ଦେଇଛି
ପୁରୁଣା କିଛି ଜଖମ ଅତୀତର ।
ଏହି ଝଡ ପରେ
ଚାଲ କିଛି କ୍ଷଣ ବସିବା,
ସେଇ ଉଜୁଡା ଆମ୍ବ ତୋଟାରେ,
ଅଦିନରେ ବାଧ୍ୟତାମୂଳକ ପତ୍ରଝଡା
ଦେଇଥିବା ଶତ ସହସ୍ର ପତ୍ର ପରି,
ଝାଡିଝୁଡି ଦେବା ଆମେ
ଆମ ଭିତରର ତିକ୍ତତା କୁ ।
ଏହି ଝଡ ପରେ
ଚାଲ କିଛି କ୍ଷଣ ବସିବା,
ସୂର୍ଯ୍ୟୋଦୟ ଦେଖିବାକୁ
ସେଇ ଚନ୍ଦ୍ରଭାଗା ବେଳାରେ ,
ଲୋହିତ କଅଁଳ କିରଣକୁ
ଆମ ଦେହ ସାରା ବୋଳି ହୋଇ,
ନୂତନ ଏକ ସକାଳ ପରି
ପୁରୁଣା ଅନ୍ଧକାର ସବୁକୁ ପଛରେ ପକାଇ,
ପୁଣି ଥରେ ଆରମ୍ଭ କରିବା
ତୁମ-ମୋ ସଂପର୍କ ର ମୂଳଦୂଆ ।

