ଏତେ କଥା ଥିଲା ଯଦି
ଏତେ କଥା ଥିଲା ଯଦି
1 min
599
ଏତେ କଥା ଥିଲା ଯଦି
ତୁମ ମନର ଅତଳ ଗହ୍ୱରେ,
କହି ଦେଖିଥାନ୍ତ ଥରୁଟିଏ
ମାନୁଛି, ମୁଁ ନୁହେଁ ଭୂମିଜା ।
ତଥାପି, ନିନ୍ଦା ଅପବାଦରୁ ତୁମକୁ ଦୂରେଇ ରଖିବାକୁ
ଦେଇ ପାରିଥାନ୍ତି ମୁଁ
ଶହେ ଅଗ୍ନି ପରୀକ୍ଷା ,
ମିଶାଇ ଦେଇଥାନ୍ତି ମୋର ଏ ନଶ୍ୱର ଅବୟବକୁ
ସୀତାଙ୍କ ପରି, ଧରିତ୍ରୀ ଗର୍ଭ ରେ ।
ଏତେ କଥା ଯଦି ଥିଲା
ତୁମ ହସହସ ଓଠ ତଳେ
ଖୋଲି ଦେଇଥାନ୍ତ ଥରୁଟିଏ
ସେ ସମ୍ପର୍କର ସର୍ତ୍ତାବଳୀ କୁ ମୋ ଆଗରେ ।
ଜାଣି ରଖ, ମୁଁ ନୁହେଁ ଭୀରୁ
ତଥାପି, ତୁମ ମାନ ରଖି
ସାଜି ପାରିଥାନ୍ତି ମୁଁ ପଳାତକ,
ଆକଣ୍ଠ ପାନ କରି ନେଇଥାନ୍ତି
ତୁମ ଭାଗ ର
ଯନ୍ତ୍ରଣା ସବୁ କୁ ।
