ଦର୍ପଣ
ଦର୍ପଣ
ମୁଁ ଆଜି ମୋ ନିଜକୁ ଦେଖିଲି ଦର୍ପଣ ରେ
ଏମିତି ନୁହେଁ ମୁଁ ଆଜି ପ୍ରଥମ ଥର ଦେଖିଲି
ଅନ୍ୟ ଦିନେ ଦେଖେ
ଶୃଙ୍ଗାର କରିବାକୁ
ହେଲେ, ଆଜି ଦେଖିଲି ସେ ସବୁ ଅଳଙ୍କାରମାନ
ଯାହା ଲୁଚି ରହିଛି ମୋ ହୃଦୟରେ
ଅକୁହା କଥା ରୂପ ନେଇ ।
ଇଚ୍ଛା ହେଲା
ଥରେ କାଢି ଆଣି ନାଇବାକୁ
ସଜାଇବାକୁ ନିଜକୁ
ପଡି ପଡି କାଳେ କଳଙ୍କି ଲାଗିଯିବ ।
ହେଲେ, ଡର ଲାଗିଲା
ଝାଡି ଝୁଡି ପିନ୍ଧି ଦେଲେ
ଯଦି କାହାର ନଜର ଲାଗି ଯିବ
ତୁଣ୍ଡ ବାଇଦ ଭଳି
ଏ ଖବର ବି ବୁଲି ଆସିବ ସହସ୍ର କୋଷ
ପୁଣି ନଜର ପଡିବ
କେତେ ଚୋର ତସ୍କର ମାଫିଆଙ୍କର
ଲୁଟି ନେବାକୁ ବେଳ ଉଣ୍ଡି ବସି ଯିବେ ସବୁ ।
ହେଲେ ଲୁଟାଇ ସାରିବା ପରେ
ମୋ ପାଖରେ ନଥିବ
ଆଉ ସମୟ କି ଧୈର୍ୟ୍ଯ
ସେ ସବୁକୁ ଛଡାଇ ଆଣିବାକୁ
ବା ସାଉଁଟି ଆଣିବାକୁ
ସେଇ ଛିନ୍ନଭିନ୍ନ ଭଗ୍ନାଂଶ ଗୁଡିକୁ ।
ତେଣୁ ମନସ୍ଥ କରିଛି,
ସେମିତି ସାଇତି ରଖିବି
ମୋ ହୃଦୟ ଦରାଜରେ
ମନେ ଯଦି ପଡେ
ତେବେ ଦେଖି ଆସିବି କେବେ କେବେ ପୁଣି
ଏମିତି ଆଇନା ଜରିଆରେ ।
