ଅବଶିଷ୍ଟାଂଶ
ଅବଶିଷ୍ଟାଂଶ
ତୁମ ସ୍ମିତହାସ୍ୟ ରେ
ମୁଁ ବି ହସି ଦିଏ ଟିକେ
ତୁମ ଗମ୍ଭୀରତା ର
ଗଭୀରତା ମାପିବାକୁ ଯାଇ
ବେଳେ ବେଳେ
ମୁଁ ବି ହୋଇ ଯାଏ ଅନ୍ୟମନସ୍କ
ତୁମେ ଯେତେବେଳେ
ଆଉଁସି ଦିଅ ମୋ ଗାଲକୁ
ମୋତେ ଲାଗେ
ତୁମ ଓଠର ଉଷ୍ଣ ସ୍ପର୍ଶ
ଅପଲକ ନୟନରେ
ତୁମେ ଦେଖୁଥାଅ ମୋତେ ଯେବେ
ବୁଜି ହୋଇ ଯାଏ ମୋ ଆଖି ଲାଜରେ
ହେଲେ, ଏ କ'ଣ
ଏ ସବୁ କ'ଣ ଖାଲି ମୋର କଳ୍ପନା
ଛୁଇଁ ପାରୁନାହିଁ ମୁଁ ତୁମକୁ
ସାଉଁଳି ପାରୁନାହିଁ ଆଜି
ତୁମ ଅସଜଡା କେଶ କୁ
ହାତ ବଢାଇ ତୁମକୁ
କୋଳେଇ ନେଇ ପାରୁନାହିଁ
ଏଇ ଯେ
ତୁମ ଆଖିରେ ଲୁହ
ଓଃ ଏବେ ବୁଝିଲି
ମୁଁ ପରା ଏଇଠି ଅଛି
କାନ୍ଦୁଛ କାହିଁକି
ହଁ, କେବଳ ଫରକ ଏତିକି ଯେ
ମୁଁ ଆଜି ଫଟୋ ଟିଏ ହୋଇ ଝୁଲୁଛି
ତୁମ ପାଖରେ ଥାଇ ବି
ଛାଡି ଆସିଛି ବହୁତ ପଛରେ ତୁମକୁ
ମୁଁ ଆଜି ହାଡ ମାଂସ ର ଶରୀର ଟିଏ ନୁହେଁ
ମୁଁ ଅଶରୀରୀ
ଆଉ ମୋର ଅବଶିଷ୍ଟାଂଶ
ତୁମ ମନର ନିବୁଜ କୋଠରୀରେ ବନ୍ଦ
କେବଳ କିଛି ସ୍ମୃତି ।
