ଅଜଣା ଏ ସହର
ଅଜଣା ଏ ସହର
ଅଜଣା ଥିଲା ଏ ସହର
ଆଉ ଆଖୋଜା ଥିଲି ମୁଁ ତା ପାଖରେ ।
ନଭଶ୍ଚୁମ୍ଭୀ ଅଟ୍ଟାଳିକା ସବୁର ଫାଙ୍କରେ
ଖୋଜି ନେଲି ଚେନାଏ ଆକାଶ
ଆଉ ଶୋଷି ନେଲି କିଛି ପରିମାଣର ଖରା ।
ହେଉ ପଛେ, ଓଦା କରିନେଲି
ମୋ ଅଠାଳିଆ ତଣ୍ଟିକୁ କେଇ ବୁନ୍ଦା ଅମ୍ଳ ମିଶା ବରଷା ପାଣିରେ ।
ଚିହ୍ନିବାର ଭୋକ ନେଇ ଆଉଟୁ ପାଉଟୁ ହେଲା ବେଳେ
ଗିଳି ପକାଇଲି, ଆଖି ଝଲସା ଯାନବାହାନ ର
ନିର୍ଗତ କଳା ଧୂଆଁ କିଛି ।
ଗାଆଁ ଛାଡିଲା ବେଳେ ଛାଡି ଆସିଥିଲି
ରାତିର ତାରାଙ୍କିତ ଆକାଶ
ଆଉ ପୁନେଇଁର ରୂପା ଚାନ୍ଦକୁ।
ଆଉ ଏଠି ଆସି ଆଦରି ନେଲି
ଟ୍ରାଫିକ୍ ପୋଷ୍ଟର ନାଲି, ହଳଦୀଆ, ସବୁଜ
ଓ ଠା ଠା ର ନିଅନ୍ ଲାଇଟ୍ ସବୁକୁ ।
ଭୁଲି ଗଲି ଆମ ଗାଆଁ ସେଇ ଲଣ୍ଡା ପାହାଡ ପଛର ଇନ୍ଦ୍ରଧନୁକୁ,
ଫଗୁଣର ରଂଗ ଛାଡି
ବୋଳି ହୋଇଗଲି ଦେହ ସାରା ଆଭିଜାତ୍ୟର ରଂଗ ।
ଜାଣି ନେଲି ଏ ସହରକୁ
ପଢି ନେଲି ତାକୁ ତନ୍ନ ତନ୍ନ କରି ଶେଷ ଅଧ୍ୟାୟ ଯାଏଁ ।
ଏ ସହର ଆଉ ଅଜଣା ରହିଲା ନାହିଁ
ହେଲେ,
ମୋ ମନ ଭିତରେ କାହିଁକି କେଜାଣି
ଆଗପରି, ଅଖୋଜା ରହି ଗଲି ମୁଁ ଏ ସହର ପାଖରେ ।।
