ଏଡ଼େ ଭାଗ୍ୟ ମୋର ହେବ ହେ ମାଧବ
ଏଡ଼େ ଭାଗ୍ୟ ମୋର ହେବ ହେ ମାଧବ
ଏଡ଼େ ଭାଗ୍ୟ ମୋର ହେବ ହେ ମାଧବ
ଦରଶନ ଦେବ ମୋତେ
ଚର୍ମ ଚକ୍ଷୁରେ ମୁଁ ଦେଖିକି ପାରିବି
ଶଙ୍ଖ ଚକ୍ର ଥିବ ହସ୍ତେ।
ଟୋପି ଟୋପି ହୋଇ ଗୋପୀ ଚନ୍ଦନରେ
ଶ୍ରୀମୁଖ ଝଲସୁ ଥିବ
ଶିରରେ ମୟୂର ଚନ୍ଦ୍ରିକା ର ଶୋଭା
ମନକୁ ମୋ ମୋହିନେବ।
ବାଙ୍କଚୂଳପରେ ସେବତିର ମାଳ
ମହମହ ବାସୁଥିବ
ଦୟଣା ତୁଳସୀ ଚନ୍ଦନ ବାସ୍ନାରେ
ଭାବରେ ବିହ୍ବଳ ହେବ।
ପାଟ ପିତାମ୍ବରୀ ଝିନ ବସନରେ
ଶ୍ରୀଅଙ୍ଗ ଶୋଭାକୁ ଦେଖି
ରଙ୍ଗ ଅଧରରେ ମନ୍ଦ ହାସ ଦେଖି
ଆନନ୍ଦେ ଭିଜିବ ଆଖି।
ହୃଦରେ କୌସ୍ତୁଭମଣି ହାର ଥିବ
କନ୍ଧେ ସୁବର୍ଣ୍ଣ ପଇତା
ଝୁଲି ଝୁଲି ଆସୁଥିବ ଚକାଆଖି
ଦେଖିବି ଜଗତ କର୍ତ୍ତା।
ଏଡ଼େ ଭାଗ୍ୟ ସତେ ହେବ ହେ ମାଧବ
ବାଇଶି ପାହାଚେ ବସି
ଭଜନ କୀର୍ତ୍ତନ କରୁଥିବି ପ୍ରଭୂ
ନାମଭଜି ଦିବାନିଶି।
କୈବଲ୍ୟ କଣିକା ଟିକିଏ ପାଇଲେ
ଭୂଲି ଯିବି ଭୋକ ଶୋଷ
ଶ୍ରୀ ଚକାନୟନ କରିବି ଦର୍ଶନ
ତୁଟି ଯିବ ଅବଶୋଷ।
ଆଉ କିଛି ମୋର ନାହିଁ ଦରକାର
ତୁମ କୃପା ମିଳୁ ଥାଉ
ଏତିକି ପ୍ରାର୍ଥନା କରୁଛି ଚରଣେ
ମାଗୁ ନାହିଁ କିଛି ଆଉ।।
