ଏ ଯୁଗରେ ଦୁହିତା
ଏ ଯୁଗରେ ଦୁହିତା
ସୀତାଲୋ
ତୁ ଆଉ ମାଟିରୁ ଜନମ ହେବୁନି
ଏ ଯୁଗର ଏହି କଳୁଷ ଜଗତେ
ବଞ୍ଚିବାର ସ୍ବପ୍ନ ଦେଖିବୁନି ।
ଜନକ ରାଜାର ହଳରେ ବାଜିତୁ
ଜନମିଲୁ ସୀତା ନନ୍ଦିନୀ
ଅଯୋଧ୍ୟା କୁମାର ଶିବଧନୁ ଭାଙ୍ଗି
କରିଥିଲେ ତୋତେ ଘରଣୀ ।
ଏ ଯୁଗର ମାତା ଜନ୍ମିଲେ ଦୁହିତା
ଘରେ ଟିକେ ଥଳ ପାଏ ନି
ନିତି ଜଳେ ତା ଜୁଇରେ ଜୀବନ
ବଞ୍ଚିବାର ରାହା ପାଏନି ।
ଏଠି ଜନମ ଆଗରୁ ଭୃଣ ହତ୍ୟାହୁଏ
ମାଆ ସାଜେ ଅପରାଧିନୀ
ଯଦି ଜନ୍ମ ହୁଏ ଝିଅ ତା ଜୀବନ
ପାଦେ ପାଦେ କୁଳ କଳଙ୍କିନୀ ।
ଏଠି ବଞ୍ଚେ ନିତି ଅବଳା ଦୁର୍ବଳା
ହୋଇ କାହା ସଯ୍ୟାସଙ୍ଗିନୀ
ନିତି ଲୁଟ୍ ହୁଏ ଝିଅଙ୍କ ଇଜତ
ସ୍ବେଚ୍ଛା ମରଣ ବି ମିଳେନି ।
କେବେ ବଧୁ ହତ୍ୟା, କେବେ ଭୃଣହତ୍ୟା
ଧର୍ଷଣ ବି ବାଦ ପଡ଼େନି
ଝିଅଙ୍କ ଜୀବନ ମାଟି ପିତୁଳାଲୋ
ମାଆ ଜନ୍ମ ଦେବାପାଇଁ ଡରିଲେଣି ।
ଅର୍ଥର ଅଭାବେ ସ୍ବଭାବ ବି ନଷ୍ଟ
ତାଙ୍କୁ ଟିକେ ଲାଜ ମାଡି଼ବନି
ପ୍ରତିଶୃତି ଦେଇ ଚୋଟ ମାରିଦେବେ
ବିକିବେ ବନ୍ଧୁଙ୍କୁ ନିଜ ଘରଣୀ ।
ଅତ୍ୟାଚାର କରି ନିଆଁରେ ପୋଡି଼ବେ
ପାଉଁଶ ବି ପତା ମିଳିବନି
ସୀତାଲୋ ତୁ ଆଉ ଏଇ ଯୁଗରେ
ମାଟିରେବି ମିଶି ପାରିବୁନି ।
ସୀତାଲୋ ତୁ ମାଟିରୁ ଜନମି
ଆଉ ମାଟି ଭିତରକୁ ଯିବୁନି ।