ଏ ପର୍ଯ୍ୟନ୍ତ କିଛି ଲେଖିନାହିଁ
ଏ ପର୍ଯ୍ୟନ୍ତ କିଛି ଲେଖିନାହିଁ
ସାଇତି ରଖିଛି ହୃଦୟେ ଗୋପନେ
ମୋ ପ୍ରିୟାର ମଧୁସ୍ମୃତି,
ଏ ପର୍ଯ୍ୟନ୍ତ କିଛି ଲେଖିନାହିଁ ତାହା
ମନେ ମୋ ମହକୁ ଅଛି |
ସାହସ ପାଇନି ଲେଖିବାକୁ କେବେ
ଶବ୍ଦ ପାଉନି ମୁଁ ଖୋଜି,
ଜାଣି ପାରୁନି ମୁଁ ଆରମ୍ଭ କେମିତି
ଭାବନା ମୋ ଯାଏ ହଜି |
କଲମ ମୋହର ସ୍ଥିର ହୋଇଯାଏ
ଛନ୍ଦଭରା ହୁଏନାହିଁ,
ହୃଦୟକୁ ମୋର ଥୋଇବି କେମିତି
ସ୍ପନ୍ଦିତ ସେ ରହି ରହି |
ସାଗର ପରି ଯେ ଚିର ତରଙ୍ଗୀତ
ହୋଇନି କେବେ ବି ସ୍ଥିର,
ସ୍ଥିର କାଗଜରେ କି ଛବି ଆଙ୍କିବି
କେଉଁ ଦିଗବଳୟର |
ଫଗୁଣରେ ଫଗୁ ରଙ୍ଗ ନାନା ଜାତି
ଶ୍ରାବଣର ବର୍ଷାଧାରା,
ଆକାଶ ପରି ତା ଉଦାର ହୃଦୟ
ସତେ କି ପ୍ରୀତିର କାରା |
ଘନ ବନାନୀର ସ୍ବର୍ଗୀୟ ସୁଷମା
ସତେ ଶ୍ୟାମ ପ୍ରୀତିଝରା,
ଧୀର ସମୀରଣେ ମର୍ମର ଧ୍ୱନିରେ
ସଦା ହୁଏ ଯେ ଅଧିରା |
ବାସ୍ତବତା କେବେ ଲେଖି ହେବ ନାହିଁ
ତେଣୁ କିଛି ଲେଖିନାହିଁ,
ଅନାବିଳ ପ୍ରୀତି ଦେଖାଇ ହୁଏନା
ଅନୁଭବେ ଯାଏ ଛୁଇଁ |