ଏ ଚାରିକାନ୍ଥର ଘର ମୋ ସଂସାର
ଏ ଚାରିକାନ୍ଥର ଘର ମୋ ସଂସାର
ଏ ଘର କଣ କେବଳ ମୋର
କିଛି ବି ନାହିଁ ଦାୟିତ୍ବ ତୋର
ପଥର ସହ ମାଟି ସିମେଣ୍ଟର
ବାଲି ଖାଡି ଲୁହାଛଡର
କେତେ ବରଷର
କେତେ ଝଡଝଞାରୁ ଆଦ୍ୟର
କେତେ ବଳ କଷାକଷିରେ
ପଥର ପକା ପାହାଚରେ
ପବନ ଓ ପାଣି ତପସ୍ୟାର
ବଳିଷ୍ଠ ବ୍ୟକ୍ତିତ୍ବ ଉତ୍ସର୍ଗର
ରକ୍ତ ସିଞ୍ଚନ ନେଇ ସାଥିର
ସାଜସଜ୍ଜା ବିବିଧ ଆଭୂଷଣର
ଖାଲି ମନରେ ସ୍ନେହ ଭରିବାର
ଶ୍ରଦ୍ଧା ଓ ପ୍ରେମର ବନ୍ଧା ସୁତାର
ସୂତ୍ର ଏ ଅନାବିଳ ପ୍ରେମ ସମ୍ପର୍କର
ଝରକା ଠାରୁ ଆରମ୍ଭ କବାଟରେ ଶେଷ
ପବନ ସହ ମିଶା ଦୁହିଁଙ୍କ ନିଶ୍ଵାସ
ବିଶ୍ବାସର ପାହାଚରେ ପାଦେ ପାଦେ ଆଗେଇ
ଭରିଛି ଏ ସାରା ଅଗଣାର
ଚୌକାଠର ଆଶ୍ରାରେ ହୃଦୟର ଭାରା
ସବୁଜିମାରେ ଭରେ ଉଦ୍ୟାନ ଜୀବନ ସାରା
ରହେନା ରାଗ ଚିରସ୍ଥାୟୀ ଅଭିମାନର ଫୁହାର
ସଶକ୍ତ ଅନୁରକ୍ତି ଏ ଚତୁର୍ଦିଗେ ସାଧନା ପ୍ରାପ୍ତିର
ଖୁସି ହସେ ଦୁଃଖ ହଜେ ଯାଇ ପହଞ୍ଚେ ବାରିପଟେ
ମନଟା ଖୋଜେ ମନଟିଏ ସୁନ୍ଦର ସାବଲୀଳ ପକ୍ଷୀଟେ
ଅତର ବାସେ ବାସ ଚହଟେ ଫଗୁଣ ଝରେ ବର୍ଷା କରେ
ପୂଣ୍ଣିମାରେ ଜୋଛନା ଭରେ ନିଦ ବୋଳା ସପନ ଆଖିରେ
ସପନ ସବୁ ମିଛ କଥା କହେ ସତରେ କଣ ଏମିତି ହୁଏ
ପବନର ଚମକ ଘରସାରା ବିଛାଇ
ସରୁ ଗହଳି ପୁରାତନ ଗଳିରେ ଲୁଚାଇ
ସପନର ଘର ଗହ ଗହ ବାସୁଛି
ଟୋପାଏ ସିନ୍ଦୂର ଦି ପଟ ଶଙ୍ଖାରେ ହସୁଛି
ସବୁ ସୁଖ ଦୁଃଖ ସହୁଛି ଧୀରେ ଧୀରେ
ଆସନ୍ତା କାଲିର ସୁଖର କଥା ବୁଣୁଛି ମନରେ
କେତେ ବର୍ଷା ଭିଜା ଏ ଛାତ ଆକାଶର
ଦୃଢ଼ ବିଶ୍ବାସ ଦଲକାଏ ଢେଉ ପବନର
ଗତି ସ୍ତିର ଓ ନିଶ୍ଚିତ ବିଶ୍ବାସର କିଛି ମୂଲ୍ଯରେ
ନିଶ୍ବାସରେ ପ୍ରେମର ଭରସା ଓ ଅସୁମାରି ଗହଣାରେ
ଆତ୍ମାର ଏ ଡାକରା ଏ ପ୍ରେମର ପ୍ରତୀକର ଆଶ୍ରାରେ
ମୋ ହୃଦୟର କେଉଁ କୋଣରେ ତୁମେ ବିସ୍ମୟ ସ୍ପନ୍ଦନରେ ।
