ଦୟଣା ଚୋରି
ଦୟଣା ଚୋରି
ରଙ୍ଗବେରଙ୍ଗର ଫୁଲ ତୁଳସୀ ଚୂଳ
ଶ୍ରୀଅଙ୍ଗେ ଶୋଭିତ ନିତି ଦୟଣା ମାଳ ।
ଫୁଲରଙ୍କା ଜଗନ୍ନାଥ ଫୁଲ ପାଗଳ
ଫୁଲରେ ଫୁଲରେ ସଜ ସଞ୍ଜ ସକାଳ।
ପଦ୍ମ ଚମ୍ପା ଜୁଇ ଜାଇ ମଲ୍ଲି ନିଆଳି
ସୁଗନ୍ଧରାଜ କଦମ୍ବ ଗଙ୍ଗଶିଉଳି ।
ଗୋଲାପ ଅଶୋକ ଗେଣ୍ଡୁ ମରୁଆ ଫୁଲ
ରଙ୍ଗଣୀ ରଜନୀଗନ୍ଧା କୁନ୍ଦ ବକୁଳ ।
ଫୁଲେ ଫୁଲ ଆଭୁଷଣ ଫୁଲରେ ସଜ
ଫୁଲବାସ ଫୁଲବେଶ ଫୁଲର ଶେଯ ।
ମଠ ମନ୍ଦିର ରୁ ସବୁ ଫୁଲ ଆସଇ
ମହମହ ଚଉଦିଗ ବାସ ବାସଇ ।
ଫୁଲ ପତ୍ର ଖଞ୍ଜାଯାଇ ମାଳ ଯେ ଗୁନ୍ଥା
ଅଧରମାଳା ପୁଷ୍ପ ତିଳକ ଝୁମ୍ପା ।
ବାରଲାଗି ପାଟ ସାଥେ ଫୁଲ ସୁଷମା
ଶବଦ ମିଳେନି ଦେବା ପାଇଁ ଉପମା ।
ଫୁଲ ପତ୍ର ଭିତରେ ତ ସବୁଠୁ ସାର
ଦୟଣା ମାଳ ଆହା କେଡେ ସୁନ୍ଦର ।
ଶ୍ରୀଭୂଜରେ କେରିକେରି ଦୟଣା ମାଳ
ସେତ ଭକତଙ୍କୁ କରେ ପାଗଳ ।
ଦୟଣାର ମାଳ ମହାପ୍ରଭୁଙ୍କ ପ୍ରିୟ
କେରିକେରି ପତ୍ର ତାର ସୁଗନ୍ଧମୟ ।
ତୁଳସୀ ପତର ପରି ସେତ ପବିତ୍ର
ସର୍ବଦେବ ପ୍ରିୟ ତାର ଫୁଲ ପତର ।
ଭକ୍ତରଙ୍କା ମହାପ୍ରଭୁ ଭକ୍ତ ବତ୍ସଳ
ଭାବ ଭକତିର ରୂପ ଦୟଣା ମାଳ ।
ପହୁଡ ଭାଙ୍ଗିବାଠାରୁ ବଡସି°ହାର
ଶ୍ରୀଅଙ୍ଗରେ ଲୋଟେ ତାର ଶୋଭାସମ୍ଭାର ।
ସତ୍ୟଯୁଗେ ଦୟଣା ଥିଲା ଦୈତ୍ୟ ଏକ
ପ୍ରବଳ ପ୍ରତାପୀ ସେ ନାମ ଦମନକ ।
ଅତ୍ୟାଚାର କରୁଥିଲା ଜଳରେ ରହି
ଥରହର କରୁଥିଲା ସଭିଙ୍କୁ ସେହି ।
କରିଥିଲା ସତେ କିଛି ଜୀବନେ ପୂଣ୍ୟ
ପ୍ରଭୁଙ୍କ ହସ୍ତରେ ହେଲା ତାର ନିଧନ ।
ସେହି ପୂଣ୍ୟ ପାଇଁ ହେଲା ଦୟଣା ତୃଣ
ଫୁଲ ପତ୍ର ତାର କିଣେ ପ୍ରଭୁଙ୍କ ମନ ।
ନନ୍ଦନକାନନ ସ୍ବର୍ଗ ଉପବନରେ
ସୁଗନ୍ଧ ସେ ବୁଣୁଥାଏ ସ୍ବର୍ଗ ରାଜ୍ୟରେ ।
ପ୍ରଭୁଙ୍କର ପ୍ରିୟ ବୋଲି କଳିରେ ସେତ
ମର୍ତ୍ତ୍ୟମଣ୍ଡଳକୁ କଲା ଶୋଭିତ ।
ଚୈତ୍ରମାସ ର ଶୁକ୍ଳ ଚତୁର୍ଦ୍ଦଶୀ ରେ
ଦମନକ ବଧ କରିଥିଲେ ଠାକୁରେ ।
ସେଦିନ କଥାକୁ ପ୍ରଭୁ ହେଜି ମନରେ
ଦୟଣା ଚୋରୀ କରନ୍ତି ସେହି ଦିନରେ ।
ବାରମାସେ ପ୍ରଭୁଙ୍କର ତେର ପରବ
ତହିଁରୁ ଏକ ଦୟଣା ଚୋରୀ ଉତ୍ସବ ।
ସେତେବେଳେ ମଦନଙ୍କ ପଡଇ ଖୋଜା
କାମଦେବ ଶ୍ରୀମନ୍ଦିରେ ହୁଅନ୍ତି ପୂଜା ।
ଶିବଙ୍କ କୋପରୁ କନ୍ଦର୍ପ କାମଦେବ
ହେଲେ ଅଙ୍ଗହୀନ ନାମ ହେଲା ଅନଙ୍ଗ ।
ଅଙ୍ଗ ସିନା ନାହିଁ ତାଙ୍କ ପ୍ରଭାବ ଅତି
କାମଶର ମାରି କାମ ନିଆଁ ଜାଳନ୍ତି ।
ବସନ୍ତ ଋତୁରେ ବହେ ମଳୟ ବାଆ
ମନେ ଜଳେ କାମଜ୍ବଳା କାଉଁରୀ ନିଆଁ ।
ନିୟନ୍ତ୍ରଣ ପାଇଁ ତାମସିକ ପ୍ରବୃତ୍ତି
ଭାବେ ଭରିଦେବା ପାଇଁ ଭାବ ଭକତି।
ଦମନକ ଚତୁର୍ଦ୍ଦଶୀ ପୂର୍ବ ଦିନଟି
ଅନଙ୍ଗ ତ୍ରୟୋଦଶୀ ସେଦିନ ତିଥି।
କାମଦେବଙ୍କର ଏକ ପଟ୍ଟଚିତ୍ର ଟି
ଶ୍ରୀମନ୍ଦିରେ ସେତ ପୂଜା ହୁଏଟି ।
ଦୟଣା ଚୋରୀ ନାୟକ ଶ୍ରୀରାମ କୃଷ୍ଣ
ଜଗନ୍ନାଥ ବହ୍ଲଭ ମଠକୁ ଗମନ ।
ଗଜଦନ୍ତ ପାଲିଙ୍କି ତ ସଜ ହୁଅଇ
ବେଶହୋଇ ରାମକୃଷ୍ଣ ବସନ୍ତି ତହିଁ ।
ବିମାନବଡୁ ପାଲିଙ୍କି ବୋହି ନିଅନ୍ତି
ଆଗେ କାମଦେବ ପଟ୍ଟଚିତ୍ର ଚଳନ୍ତି ।
କାମ ମର୍ଦ୍ଦନର ପାଇଁ କାମଦେବ ଙ୍କୁ
ଡାକୁଥାନ୍ତି ଭକ୍ତ ନିଅ ଭକ୍ତି ମାର୍ଗକୁ ।
ଜଗନ୍ନାଥ ବହ୍ଲଭ ସେ ମଠ ସୁନ୍ଦର
ଦୟଣା ଚୋରୀ ଯହିଁ ହୁଏ ହୁନ୍ଦର ।
ଦିଅଁମାନଙ୍କର ପୂଜା ବିଧିବିଧାନ
ବିସର୍ଜନ ହୋଇଥାନ୍ତି ତହୁଁ ମଦନ ।
ଦୟଣା ଗଛ ଧରି ରାମ କୃଷ୍ଣ ଭାଇ
ବଡଦେଉଳକୁ ତ ଫେରିଥାନ୍ତି ସେହି ।
ଭୂଦେବୀ ଶ୍ରୀଦେବୀ ଯେ ମଦନମୋହନ
ପ୍ରଥମେ ଦୟଣା ହୁଏ ତାଙ୍କୁ ଅର୍ପଣ ।
ତାପରେ ଚତୁର୍ଦ୍ଧାମୂର୍ତ୍ତି ଦୟଣା ନାଇ
ପୁଲକିତ ହୁଅନ୍ତି ସେ ମହକ ପାଇ ।
ଦୟଣା ର ମହକରେ ମହକେ ଧରା
ପ୍ରଭୁଙ୍କ ରୂପ ସେ ଆହାକି ତୋରା ।
ଦୟଣା ଚୋରୀ କାହାଣୀ ଭାବର ଗୀତି
ତାମସିକ ଶକ୍ତି ହୁଏ ନିର୍ଗୁଣ ଭକ୍ତି ।
ଦମନକ ଦୟଣା ସେ କଥା ଅମୃତ
ଦୈତ୍ୟ ଦମନକ ହେଲା ପରମ ଭକ୍ତ ।
ଧନ୍ୟ ଲିଳାମୟ ତୁମ ଲିଳା ଅପାର
ଦୈତ୍ୟ କୁ ମାରି କଲ ତାକୁ ଅମର ।
ଦମନକ ଦୈତ୍ୟ ଆଜି ଦୟଣା ମାଳ
ନିତି ଶୋଭାପାଏ ତୁମ କର କମଳ ।
ସକାଳ ବେଶରୁ ପୁଣି ବଡସି°ହାର
ନିତ୍ୟବେଶେ ନିତି ଲୋଡା ଦୟଣା ପତ୍ର ।
କେରି କେରି ଦୟଣା ପତର ତୋରା
ଜାତି ଜାତି ଔଷଧୀୟ ଗୁଣରେ ଭରା ।
ଦୟଣା ପତର ଲାଗେ ପାଟିକୁ କଷା
ରୋଗ ଉପଶମ ପାଇଁ ହୁଏ ଭରଷା ।
ହୃଦୟ ରୋଗକୁ ସେ କରେ ନିୟନ୍ତ୍ରଣ
ଚର୍ମ ରୋଗ ଉପଶମ କରଇ ଜାଣ ।
ସର୍ବ ଗୁଣ ସମ୍ପର୍ଣ୍ଣା ଏ ଦୟଣା ପତ୍ର
ସେଥିପାଇଁ ପ୍ରଭୁଙ୍କର ଭାରି ଆଦର ।
ଦୟଣା କହେ ପ୍ରଭୁଙ୍କୁ ପାଇବା ପାଇଁ
କାମ କ୍ରୋଧ ଠାରୁ ରୁହ ଦୂରେଇ।
