ଦୂର ଦିଗନ୍ତର ସାଧବ ବୋହୂ
ଦୂର ଦିଗନ୍ତର ସାଧବ ବୋହୂ
ଦୂର ଦିଗନ୍ତର ସାଧବ ବୋହୂଟେ ଚାଲୁଥିଲା ନଇଁ ନଇଁ ,
ଦେଖି ତା ଚେହେରା ମନ ମୁଗ୍ଧ ହେଲା,ଗଲି ତା ପଛରେ ଧାଇଁ ।
ଝରଣା ପରି ତା କୁଳୁ କୁଳୁ କଥା, ଚାଲି ତାର ନଦୀ ପରି,
ସ୍ୱର୍ଗ ଅପସରା ମେନକା,ଉର୍ବଶୀ କେହି ନୁହେଁ ତା ସରି ।
ନାଲି ଟୁକୁ ଟୁକୁ ଓଠରେ ତାହାର ହସ ଫୁଲ ଚୁନା ଚୁନା,
ଦେଖି ତା ମୁକୁତା ଭରା ଖିଲି ହସ ମନ ହେଲା ଆନମନା ।
ତନୁପାତେଳି ତା ଦେହେ ଖେଳୁଥିଲା ହଳଦୀ ରଙ୍ଗର ଶାଢୀ,
ହାଲକା ପବନରେ କଳା ଘନ କେଶ ଯାଉଥିଲା ଧୀରେ ଉଡି ।
ପାଦରେ ତାହାର ଶୋଭା ପାଉଥିଲା ସରୁ ଅଳତାର ଗାର,
ନୀଳ ସାଗରର ଢେଉ ପରି ଥିଲା ତା ଆଖି କଜ୍ଜଳ ଗାର ।
ମଥାରେ ତାହାର ନାଲିଆ ଟିକିଲି ସତେକି ନାଲିଆ ଜହ୍ନ,
ହୃଦୟରେ ତାର ଘର କରିବାକୁ ବ୍ୟାକୁଳ ସତେ ମୋ ମନ ।
ତା ପାଦର ସେଇ ରୁପା ପାଉଁଜିର ରୁଣୁଝୁଣୁ ବୀଣା ସ୍ୱର,
ବନସ୍ତେ ସତେକି ବାଜିଉଠୁଥିଲା ମୁର୍ଚ୍ଛନା ଯେ ସଙ୍ଗୀତର ।
କାଖରେ ତାହାର ଭରା କଳସୀଟି ଶୋଭା ପାଉଥିବା ଦେଖି,
ଧୀରେ ଧୀରେ ତାର ପାଖକୁ ଗଲି ମୁଁ ମନରେ ସାହସ ରଖି ।
ପାଖେ ତା ପହଞ୍ଚି ପଚାରିଲି ତାକୁ," ସାଧବବୋହୂ ହେ ଶୁଣ,
କି ନାମ ତୁମର ,କେଉଁଠି ରହୁଛ, ଜାଣିବାକୁ ମୋର ମନ ।
ମୋ କଥାକୁ ଶୁଣି ସାଧବବୋହୂଟି କହିଲା ଓଠକୁ ଚିପି,
ଅହଲ୍ୟା ମୋହର ଭଲ ନାମ ପରା, ଡାକ ନାମ ମୋର ଟିକି ।
ଦୂର ଦିଗନ୍ତର ପଲ୍ଲୀ ଗାଁ ପାଖେ କୁଡ଼ିଆ ଛପର ମୋର,
ରହୁଛି ମୁଁ ସେଠି ବୃଦ୍ଧ ବାପା ସାଥେ ସେଇଟି ମୋହର ଘର ।
କହିଲି ରୂପସୀ ବିବାହ ପ୍ରସ୍ତାବ ଦେବି ଯାଇ ତୁମ ଘରେ,
ରାଜି କି ଅରାଜି କୁହ ଗୋ ମାନସୀ ଓଠ ଖୋଲି ତୁମ ଥରେ ।
ଲାଜେଇ ଲାଜେଇ କହିଲା ଅହଲ୍ୟା ଓଠ ଚିପି ତାର ଧୀରେ,
ଠକିବନି ମତେ ବାପାଙ୍କୁ ମନେଇ ନେବ ହାତଧରି ଘରେ ।
ଶେଷରେ ସପନ ସତ ହେଲା ମୋର ଆଣିଲି ବିବାହ କରି,
ଆଜି ସେ ସାଜିଛି ନାଲି ତୁକୁଟୁକୁ ସାଧବବୋହୂ ମୋହରି ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ , ନେତାଜୀ ନଗର,ମଧୁପାଟଣା
କଟକ-୭୫୩୦୧୦