ଦୁର୍ଲ୍ଲଭ ମାନବ ଜନ୍ମ
ଦୁର୍ଲ୍ଲଭ ମାନବ ଜନ୍ମ
ସ୍ରଷ୍ଟାଙ୍କର ସୃଷ୍ଟି ଅତୀବ ବିଚିତ୍ର
ବିଶ୍ୱ ଅତି ମନୋରମ ।
ସିନ୍ଧୁ-ନଦୀ-ଗିର ଅନନ୍ତ ଆକାଶ
ଦୃଶ୍ୟ ଦିବ୍ୟ ଅନୁପମ I୧।
ସବୁଜ-ବନାନୀ ଲତା ଓ ପାଦପ
ପଶୁ-ପକ୍ଷୀ ସର୍ବ ପ୍ରାଣୀ ।
ବିଧିଙ୍କ ନିର୍ଦ୍ଦେଶେ ହୋଇଥାନ୍ତି ସୃଷ୍ଟି
ଆପଣାର କର୍ମ ଘେନି |୨।
ବିଧିର ବିଧାନ ନ ହୋଇବ ଆନ
ଏ ତ ସଂସାର ନିୟମ ।
ନିୟତିର ଆଜ୍ଞା ଅବଜ୍ଞା ହୋଇଲେ
ସୃଷ୍ଟି ଚକ୍ର ହେବ ଭ୍ରମ |୩।
ସଜୀବ-ନିର୍ଜୀବ ଚରାଚର ବିଶ୍ୱ
ବିଧାତାଙ୍କ ବରଦାନ ।
ତାଙ୍କରି ଇଙ୍ଗିତେ ହୋଇ ସଞ୍ଚାଳିତ
କରନ୍ତି କାର୍ଯ୍ୟ ସାଧନ |୪।
ଚଉରାଶି ଲକ୍ଷ ଯୋନି ଭ୍ରମି ଜୀବ
ଅନ୍ତେ ନିଏ ନର ଜନ୍ମ ।
ସେହି ଜନମର ହୁଅଇ ସାର୍ଥକ
ପାଳିଲେ ମାନବ ଧର୍ମ ।୫।
ସକଳ ପ୍ରାଣୀଠୁ ମନୁଷ୍ୟ ଅଟଇ
ସଂସାରର ଶ୍ରେଷ୍ଠ ଜୀବ ।
ପ୍ରାରବ୍ଧ କର୍ମରୁ ହୁଅନ୍ତି ଜନମ
ଏ ଭବେ ହୁଏ ସମ୍ଭବ |୬।
ପୂର୍ବାର୍ଜିତ ପୂଣ୍ୟ ସୁକୃତ କର୍ମରୁ
ଦିବ୍ୟ ଜନ୍ମ ନିଏ ନର ।
ଦେବ ସୁଲଭତା ଗୁଣେ ବିଭୂଷିତ
ଜଗତେ ଅଟେ ସେ ସାର |୭।
ମାନବ ଜନମ ଅଟଇ ଦୁର୍ଲଭ
ବହୁ ତପସ୍ୟାର ଫଳ ।
କର୍ତ୍ତବ୍ୟ-ଦାୟିତ୍ତ୍ୱେ ହୋଇ ଦୃଢବ୍ରତ
ଲଭଇ ଯଶ ବିରଳ |୮।
ଇତର ପ୍ରାଣୀଠୁ ଅଟେ ସର୍ବୋତ୍ତମ
ମର୍ତ୍ତ୍ୟରେ ମନୁଷ୍ୟ ଜନ୍ମ ।
ଅକ୍ଷୟ କୀର୍ତ୍ତିର ହୁଏ ଅଧିକାରୀ
କରିଣ ଉତ୍ତମ କର୍ମ ।୯।
ଆହାର ଓ ନିଦ୍ରା ଭୟ ଓ ମୈଥୁନ
ନିତ୍ୟ-ନୈମିତିକ କର୍ମ ।
ପଶୁ ଓ ମାନବ ଅଭିନ୍ନ କର୍ମକୁ
କରୁଥାନ୍ତି ସମ୍ପାଦନ |୧୦।
ବିବେକ-ବୁଦ୍ଧିରେ ବ୍ୟକ୍ତି ହୁଏ ଜ୍ଞାନୀ
ପାଳଇ ସ୍ୱକୀୟ ଧର୍ମ ।
ପଶୁ-ଦାନବଠୁ ହୁଅଇ ମହାନ
ପାଳି ସଦାଚାର ଜ୍ଞାନ |୧୧।
ମାନବ ଧରମ ଅଟଇ କେବଳ
ପର ସେବା-ଉପକାର ।
ସତ୍ୟ-ଆଦର୍ଶରେ କର୍ତ୍ତବ୍ୟ ନିଷ୍ଠାରେ
ହୁଏ ସଭିଙ୍କ ନିଜର |୧୨।
ବଡ଼ଲୋକ ପୁଣି ଭଲଲୋକ ମଧ୍ୟେ
ପ୍ରଭେଦ ଅଛି ଅନେକ ।
ବିଦ୍ୟା ଓ ବୁଦ୍ଧିରେ ଧନ ଉପାର୍ଜିଣ
ହୋଇଥାନ୍ତି ବଡ଼ଲୋକ |୧୩।
ଆପଣା ସୌଭାଗ୍ୟ ନିଜ ପ୍ରଚେଷ୍ଟାରେ
ବଡ଼ଲୋକ ହୁଏ ନର ।
ସଂକୀର୍ଣ୍ଣ ସ୍ୱାର୍ଥରେ ହୋଇ ନୀଚ ମନା
ହୁଏ ସେ ପାତ୍ର ଘୃଣାର |୧୪।
ଭଲଲୋକ ହେବା ଅତୀବ ଦୁଃସାଧ୍ଯ
ବହୁ କଠିନ ସାଧନା ।
ତ୍ୟାଗ ଓ ନିଷ୍ଠାରେ କରିଣ ସତ୍କର୍ମ
ହୁଅଇ ଉଦାରମନା |୧୫।
ଭଲଲୋକରୁ ସେ ହୁଏ ସେ ମହାତ୍ମା
ଶ୍ରେଷ୍ଠ ହୁଏ ସଂସାରରେ ।
ନିଃସ୍ୱାର୍ଥ ଭାବରେ କରେ ସେବାକାର୍ଯ୍ୟ
ଯଶ ଲଭଇ ମହୀରେ |୧୬।
ବଡଲୋକିଆରେ ମଣିଷ ପଣିଆ
ନ ଥାଏ କେବେ କାହାର ।
ବାକ୍ୟବୀର ହୋଇ ଲୋକପ୍ରିୟ ପାଇଁ
କରେ ସେ ଆତ୍ମପ୍ରଚାର |୧୭।
ସ୍ନେହ-ଶ୍ରଦ୍ଧା-ଭକ୍ତି ଭାବ ଓ ବିଶ୍ୱାସ
ଦୟା-କ୍ଷମା ଶ୍ରେଷ୍ଠ ଗୁଣ ।
ଶାନ୍ତି ଓ ମୈତ୍ରୀରେ କରିଣ ଆବଦ୍ଧ
ମଣିଷ ହୁଏ ମହାନ |୧୮।
ହିଂସା-ରାଗ-ଦ୍ୱେଷ-ମିଥ୍ୟା-ଅହମିକା
କପଟ-ଛଳନାମାନ ।
ଦୁର୍ଗୁଣ ଗୁଡ଼ିକୁ କରିଲେ ବର୍ଜନ
ନର ହୁଏ ସାଧୁଜନ |୧୯।
କାମ-କ୍ରୋଧ-ଲୋଭ-ମୋହ-ମଦମତ୍ତା
ଷଡ଼ରିପୁ ଯେ ମତ୍ସର ।
ଆତ୍ମସଞ୍ଜମରେ ହେଲେ ନିୟନ୍ତ୍ରଣ
ମାନବ ହୁଅଇ ସୁର ।୨୦।
ମାନବ ମନରେ ରାକ୍ଷସ ପ୍ରକୃତି
ଅହର୍ନିଶ କରେ ବାସ ।
ଆଳସ୍ୟତା ପୁଣି ତା’ର ମହାମିତ୍ର
ମନୁଷ୍ୟକୁ କରେ ନାଶ |୨୧।
ଝଡ଼-ଝଞ୍ଜା ପୁଣି ଘାତ-ପ୍ରତିଘାତ
ସହନ୍ତି ମହାମାନବ ।
ବିଶ୍ୱ ସମୂହର କରିଣ କଲ୍ୟାଣ
ହୁଅନ୍ତି ମହାନୁଭବ |୨୨।
ଦେଶମାତୃକାର ସୁରକ୍ଷା ସହିତ
କରେ ଯିଏ ରାଷ୍ଟ୍ରହିତ ।
ସେହି ଏକା ସିନା ପ୍ରକୃତ ମାନବ
ସମସ୍ତଙ୍କ ମଧ୍ୟେ ଶ୍ରେଷ୍ଠ ।୨୩।
ସତ୍ୟ-ବ୍ରହ୍ମଚର୍ଯ୍ୟ-ବ୍ୟାୟାମ ଓ ବିଦ୍ଯା
ଦେଶଭକ୍ତି-ଆତ୍ମତ୍ୟାଗ ।
ଏହି ଦିବ୍ୟ ଗୁଣ ପାଳିଲେ ଶତତ
ନର ପାଏ ସ୍ୱର୍ଗଭୋଗ ।୨୪।
ମାନବ ଜନମ ନୁହଇ କେବଳ
ଭୋଗ-ବିଳାସ ଜୀବନ ।
ଆପଣା କର୍ତ୍ତବ୍ୟ କଲେ ସମ୍ପାଦନା
ଲଭେ ଯଶ ଓ ସମ୍ମାନ ।୨୫।
ପର ଉପକାର ପୂଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ ।
ଦେବଦୂତ ରୂପେ ହୋଇ ଆବିର୍ଭୂତ
ଦିଅନ୍ତି ଅମୃତ ଜ୍ଞାନ |୨୬।
ପର-ଆପଣାର ଭେଦାଭେଦ ଭୁଲି
ସ୍ନେହେ ହୋଇଲେ ବନ୍ଧନ ।
ଏହା ବସୁଧାଟି ହେବ ସ୍ୱର୍ଗ ସମ
ଅବଶ୍ୟ ସତ୍ୟ ବଚନ |୨୭|
