STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ଦୁର୍ଗତିନାଶିନୀ ଜୟ ମା' ଭବାନୀ

ଦୁର୍ଗତିନାଶିନୀ ଜୟ ମା' ଭବାନୀ

1 min
384

    

ଦୁର୍ଗତିନାଶିନୀ ଜୟ ମା' ଭବାନୀ 

        ମହିଷାମର୍ଦ୍ଦିନୀ ଦୁଃଖ ବିନାଶିନୀ,

ତୁମ ପାଦେ ପ୍ରଣତି ମାଆ ତାରିଣୀ

      ଅଭୟ ଦିଅ ଗୋ କଲ୍ୟାଣକାରିଣୀ।

ଶରତକୁ ନେଇ ଆଶ୍ଵିନ ଆସିଛି 

         ବିନୟେ ସ୍ବାଗତ ତୁମକୁ କରୁଛି,

ସ୍ଵଚ୍ଛ ଶୁଭ୍ର ସ୍ନିଗ୍ଧ ଶୋଭାରେ ମଣ୍ଡିଛି

        କାଶତଣ୍ଡି ଫୁଲ ଧରାରେ ଫୁଟିଛି।

ଶାରଦୀୟ ଆକାଶ ନୀଳିମାମୟ

         ସୁନ୍ଦର ପ୍ରକୃତି ଯେ ସବୁଜମୟ,

ନିରିମଳ ମନ ପବିତ୍ର ହୃଦୟ

        ତୁମ ଚରଣରେ ମାଗୁଛି ଆଶ୍ରୟ।

ଅବତରୀ ଆସ ମାଆ ଧରାଧାମେ

         ଭକତି ଚିତ୍ତରେ ତୁମକୁ ପ୍ରଣମେ,

ଅପାର କରୁଣା ଢାଳି ଦିଅ ତୁମେ

      ସାହା ହୁଅ ମାତା ଜନମେ ଜନମେ।

ଦୁଃଖ ଯାତନାର ଜଞ୍ଜାଳ ଜଗତ

        ଶୁଣ ଗୋ ଆରତଜନଙ୍କ ଆରତ,

ତୁମ ଆଶିଷ ବରଷୁ ଅବିରତ

       ମନେ ସାହସ ଶକତି ହେଉ ଜାତ।

ତୁମେ କରୁଣାମୟୀ ଗୋ କାତ୍ୟାୟନୀ

       ତୁମେ ଦୟାମୟୀ ଅଭୟଦାୟିନୀ,

ବିଶ୍ବ ବ୍ରହ୍ମାଣ୍ଡରେ ତୁମେ ମା' ଭବାନୀ 

        ତୁମକୁ ସ୍ତୁତି କରୁ ସକଳ ପ୍ରାଣୀ।

ବିପଦ କାଳରେ ହୁଅ ଗୋ ସହାୟ

        ମନ ହୃଦୟରୁ ଦୂର ହେଉ ଭୟ,

ସଂସାରକୁ କର ତୁମେ ନିରାମୟ

     ଦୂର ହେଉ ଦୁଃଖ ପାପ ହେଉ କ୍ଷୟ।

ନାଶିଲ ଅସୁର ଯେ ମହିଷାସୁର

        ସାରା ଜଗତକୁ କଲ ତ ଉଦ୍ଧାର,

ଘୁଞ୍ଚାଇଲ ତୁମେ ମେଦିନୀର ଭାର

        ଆଶ୍ବସ୍ତି ଲଭିଲେ ଏ ସଚରାଚର।

ଏ ଭବର ଭାଗ୍ୟ କର ଗୋ ଉଜ୍ଜ୍ଵଳ 

      ପଡ଼ିଛି ଏବେ ତ ଘୋର କଳି କାଳ,

ଦିନୁ ଦିନ ବଢ଼େ ସଂସାରେ ଜଞ୍ଜାଳ

       ସଂକଟେ ଜୀବନ ହୁଏ ଟଳମଳ।

କୃପା କର ମାଆ ପ୍ରଣତି ମୋ ଘେନି

       ସୁଖ ଶାନ୍ତି ତୃପ୍ତି ଦିଅ ବାରେ ଆଣି,

ତୁମେ କରୁଣାମୟୀ ଜଗତଜନନୀ 

       ଦୁର୍ଗତିନାଶିନୀ ଜୟ ମା' ଭବାନୀ।

     

    


Rate this content
Log in

Similar oriya poem from Abstract