ଦୁହିତା ମୁଁ...
ଦୁହିତା ମୁଁ...


ଦୁହିତା ମୁଁ, ଦୁଇ କୁଳ ପାଇଁ ହିତା
ଅଶ୍ରୁ ତର୍ପଣରେ
ଅଗଣା ଧୁଏ ।
ବିନ୍ଦୁ ବିନ୍ଦୁ ମୋର ନୟନର ନୀର
ସିନ୍ଧୁଏ ସୁଖର
ସ୍ବପ୍ନ ଦେଖାଏ ।।
ସେ ସ୍ବପ୍ନରେ ଥାଏ ବାଲ୍ୟ ଚପଳତା
ପ୍ରତ୍ୟୁଷ ଜୀବନ
ରାଗ ରାଗିଣୀ ।
ପ୍ରଦୋଷ କାଳର ଅର୍ଦ୍ଧ ରକ୍ତଭିଜା
ଧୁସର ବର୍ଣ୍ଣିଳ
ଆତ୍ମକାହାଣୀ ।।
ମୋ' କାହାଣୀ କେବେ ହୋଇ ନି,ହେବ ନି
ସରଳରେଖାର
ସଳଖ ଧାର ।
ବିନ୍ଦୁ ବିନ୍ଦୁ ତା'ର ଅସମାନ୍ତରାଳ
ପ୍ରଚୁର ପ୍ରଖର
ସୁପ୍ତ ଜହର ।।
ପୁରାଣ ବର୍ଣ୍ଣିତ ଜହର ୟେ ନୁହେଁ
ସମୁଦ୍ର ମନ୍ଥନ
କାଳେ ଉଦ୍ଭବ ।
ଅବଶ୍ୟ ନାରୀର ନିଷ୍ଠୁର ପ୍ରହାର
ନାରୀ ପାଇଁ ହୁଏ
କାଳ ଭୈରବ ।।
ମାଆ ମମତାର ରଙ୍ଗ ଅଳତାରେ
ନାଲି ଟୁକୁଟୁକୁ
ପାଦ ଯୁଗଳ ।
ଶାଶୂ ରୁକ୍ଷତାର ନିଷ୍ଠୁର ଆଘାତେ
ବେପଥୁ ପଣରେ
ପିଏ ଗରଳ ।।
ମାଆ ମୋ' ଗୃହିଣୀ ଶାଶୁ ବି ଗୃହିଣୀ
ବଧୂ ନିରୁପମା
ମୁଁ ବି ରମଣୀ ।
କାହିଁକି ତା' ହେଲେ ଏ ସମାଜ ଲେଖେ
ନାରୀ ଲୋତକର
ରକ୍ତ କାହାଣୀ ??
କାହିଁକି କହୁଛ ଜନ୍ମ ଜାତକକୁ
ଷଷ୍ଠୀ ଦେବୀଙ୍କର
ହସ୍ତ ଲିଖନ ।
ମୋ' କପାଳ ରେଖା ମନ୍ଥରାମାନଙ୍କ
ଅମାନସିକତା
ଚନ୍ଦ୍ର ଗ୍ରହଣ ।।