STORYMIRROR

ବି. ନିରୁପମା

Comedy Inspirational Others

3  

ବି. ନିରୁପମା

Comedy Inspirational Others

ଦଶହରା ବୁଲା ମଜା

ଦଶହରା ବୁଲା ମଜା

1 min
203


ଚତୁର ପଣରେ ସରି ତାକୁ କିଏ

ପାଠରେ ସିନା ସେ ଅଧା,

ଅଳସୁଆ ନୋହି ମଦନା ଖଟଇ

ବିଲବାଡ଼ି କାମେ ସଦା ।


ଅଯଥାରେ କେବେ ବେଳ ସାରିବାକୁ

ହୁଏନାହିଁ ତା'ର ମନ,

ପଚାରିଲେ କହେ-"ବସି ଖାଇଲେ ପା'

ଘରୁ ସରିଯିବ ଧନ ।


ତୁଚ୍ଛାଟାରେ କିଆଁ ଇଆଡ଼େ ସିଆଡ଼େ

ବୁଲିବି ମୁଁ ଲୁଚିକରି,

ବଳକା ବେଳରେ ବାପା, ମାଆଙ୍କୁ ତ

ପାରୁଛି ସାହାଯ୍ୟ କରି ।


ଶୁଣିଲା ମଦନା-ସାଥୀପିଲା ତା'ର

କଥା ହେଉଛନ୍ତି ବସି,

ଏସନ ଦଶରା ଯାତ ଦେଖିବାକୁ

କଟକକୁ ଯିବେ ମିଶି ।


ସାରା ରାଇଜରେ ସୁନାମ ରହିଛି

କଟକର ଦଶହରା,

ପୂଜାମେଢ଼ ଦେଖି ଖାଇବେ ସେଇଠି

ମିଠା, ଦୋସା, ଦହିବରା ।


ସାଙ୍ଗ କଥା ଶୁଣି ମଦନା କହିଲା

ବାପାଙ୍କ ପାଖକୁ ଯାଇ,

"ଟଙ୍କା ଦିଅ ବାପା, ସାଥୀମେଳେ ଯିବି

ଦଶରା ଦେଖିବା ପାଇଁ ।"


ପୁଅ କଥା ଶୁଣି ଟଙ୍କା ଦେଇ ବାପା

କହିଲେ ବୁଝାଇ କରି,

"ଦଶହରା ବେଳେ ସାରା କଟକରେ

ଭିଡ଼ଟା ହୁଅଇ ଭାରି ।


ସାବଧାନ ଥିବୁ ପକେଟମାରଙ୍କୁ 

ଟଙ୍କା ନେଇଯିବେ ଲୁଟି,

ସୁବିଧାରେ ଯାଇ ଫେରିବୁ ଘରକୁ

କଟକ ଦଶରା ଦେଖି ।"


ବାପାଙ୍କ କଥାକୁ ଖିଆଲରେ ରଖି

ମଦନା ଦେଖିଲା ପୂଜା,

ନାଲି, ନେଳି କେତେ ରଙ୍ଗ ଆଲୋକରେ

ବିଜେ ମାଆ ଦଶଭୁଜା ।


ସାଥୀପିଲା ମିଶି, ମନେ ହୋଇ ଖୁସି

ଦେଖୁ ଦେଖୁ ଦଶହରା,

ନରି ଦୋକାନରେ ଖାଇଲେ ସଭିଏଁ

ଠୁଙ୍କାପୁରି, ଦହିବରା ।


ପଇସା ଦେବାକୁ ଖୋଜିଲା ବେଳକୁ

ଚମକି ପଡ଼ିଲେ ସର୍ବେ,

ପକେଟରେ ମନିପର୍ସ ତ ନାହିଁ

ଟଙ୍କାଟା କେମିତି ଦେବେ !


ସାଙ୍ଗ ପିଲାଙ୍କର ବୁଦ୍ଧି ହଜିଗଲା

ବିକଳ ଦିଶିଲା ମୁହଁ,

କହିଲା ମଦନା-"ଏଥିପାଇଁ କିଆଁ

ଅଥୟ ଏମିତି ହୁଅ !


ତୁମେମାନେ କେହି ବ୍ୟସ୍ତ ହୁଅନାହିଁ

ପଇସା ଦେଉଛି ଗଣି,"

ପବନା କହିଲା-" ପର୍ସ ତ ଗଲା

କେଉଁଠାରୁ ଦେବୁ ଆଣି !


ମଦନା କହିଲା-"ପ୍ରଥମରୁ ମୁହିଁ

ପୂରା ସାବଧାନ ହୋଇ,

ଅନ୍ୟ ପକେଟରେ ସବୁଯାକ ଟଙ୍କା

ଦେଇଅଛି ପରା ଥୋଇ ।


ମନିପର୍ସରେ ପଇସା ନ ଥିଲା

କଙ୍କଡ଼ାବିଛାରୁ ମାଳେ,

ସୂତାରେ ବାନ୍ଧି ମୁଁ ରଖି ଦେଇଥିଲି

କଟକ ଆସିବାବେଳେ ।


ପକେଟମାର ଟା ପଇସାକୁ ଗଣି

ଛାଡ଼ୁଥିବ ତେଣେ ରଡ଼ି,

ଚୋରି କରିବାର ମଜାଟା ତାହାର

ଏବେ ଯାଉଥିବ ଛାଡ଼ି ।"


କଥାଟାକୁ ଶୁଣି ଉପସ୍ଥିତ ଲୋକ

ସମସ୍ତେ ଉଠିଲେ ହସି,

ମଦନା ସଭିଙ୍କୁ ଦେଲା ଗାଡ଼ିଭଡ଼ା

ଗାଆଁକୁ ଫେରିଲେ ମିଶି ।


ସେଇଦିନର ସେ ଦଶହରା ଦେଖା

ଅଛି ତାଙ୍କ ସ୍ମୃତି ହୋଇ,

ହାସ୍ୟରୋଳ ଛୁଟେ ଯେବେ ସେଇ କଥା

ହୋନ୍ତି କେବେ କୁହାକୁହି ।



Rate this content
Log in

Similar oriya poem from Comedy