STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଚାବି (ରମ୍ଯରଚନା)

ଚାବି (ରମ୍ଯରଚନା)

1 min
212


ଚାବି କୋଲପର ଖେଳ ଏ ସଂସାର

     ତନ୍ମଧ୍ୟରେ କଟକଣା,

ନୀତି ନିୟମର ଆକଟ ଭିତରେ

     ବଞ୍ଚିବାକୁ ହୁଏ ସିନା।

ସମ୍ବିଧାନ ଚାବି ନିୟନ୍ତ୍ରଣ କରେ

     ଗଣତନ୍ତ୍ର ସରକାର, 

ବ୍ଯକ୍ତି ଯଦି ସତ୍ଯ‌ ଚାବି ଧରିଥାଏ

     ପାଏ‌ ନାଯ୍ଯ ଅଧିକାର।

ଶିଶୁଟିଏ ଯେବେ ବିଦ୍ୟାଳୟ ଯାଏ

     ବିଦ୍ଯା ଅଧ୍ୟୟନ ପାଇଁ,

ତା' ଜ୍ଞାନ ସିନ୍ଧୁକ‌ ଗୁରୁ ଖୋଲିଥାନ୍ତି

    ସ୍ଵୟଂ ଚାବିଟିଏ ହୋଇ।

ଚାବି ସିନା ଛୋଟ ବଡ଼ ଭଣ୍ଡାରକୁ

    ନିମିଷକେ‌ ଖୋଲିଦିଏ,

ଅଣସୂତ୍ର ଚେଷ୍ଟା ହୋଇଥାଏ ବୃଥା

    ସୁଫଳ ମିଳି ନ ଥାଏ।

ଜଟିଳ ଗଣିତ ଯେବେ ତୁ କଷିବୁ‌

    ସୂତ୍ରଟିଏ ଚାବି କରି,

ସଂଖ୍ୟା ପଣିକିଆ ବାବୁରେ ଯେମିତି

    ହେଜିଥିବୁ ମନ କରି।

ଚାବିଟିଏ‌ ଛୋଟ ଜାହାଜ ବିରାଟ

    ଅବିଳମ୍ବେ ଚାଲୁକରେ,

ସେଇ ଚାବିଟିଏ‌ ରିମୋଟ‌୍‌ କଣ୍ଟ୍ରୋଲ

    ରକେଟ‌ ଆକାଶେ ଛାଡେ।

ମାରଣା‌ ହାତୀକୁ ଅଙ୍କୁଶ ତ ଚାବି

    ଓଲେଇ ବେକରେ ଘଣ୍ଟି,

ଟ୍ରାଫିକ୍‌ ସଙ୍କେତ ସୁରକ୍ଷାର ଚାବି

    ଚାବିଟି ଦୋଷୀର ଶାସ୍ତୀ।

ରୋଗୀଣା ଦେହକୁ ଔଷଧ ଯେ ଚାବି

    ପଥିକର‌ ନୂଆ ଆଶା,

ସଧବା ମଥାରେ ସୁହାଗଟି ଚାବି

    ଅନ୍ଧର‌ ବାଡ଼ି ଭରଷା।

ଭାବୁକ ମନର କଳ୍ପନା ଯେ ଚାବି

    ଲେଖକ ଚାବି ଲେଖନୀ,

କବି କବିତାର ତାଲା ଖୋଲୁଥାନ୍ତି

    ଶବ୍ଦର ଚାବିକୁ ଘେନି‌।

ମୁଁ ନିଜେ ଗୋଟେ ପୁରୁଣା‌ କୋଲପ

    ଘରଣୀ ମୋହର ଚାବି,

ତା' ଇଚ୍ଛାରେ ମୁହିଁ ଖୋଲିବି ପଡିବି

    ଯେତେ ଦିନ ବଞ୍ଚିଥିବି। 

କ୍ରୋଧରେ ପଡିଲେ ତାଲାଟିଏ‌ ବାବୁ

    ଖୋଲେ ସେ ସ୍ନେହ ଚାବିରେ‌,

ବାତ୍ସଲ୍ୟ ପ୍ରେମର ଚାବିଟିଏ ଥାଏ

    କେବଳ ମାଆ ପାଖରେ।

ଅମା ଅନ୍ଧାରର‌ ତମସା ଦୂରେଇ

    ସୂର୍ଯ୍ୟାଲୋକ ଚାବି ସମ,

ଏ ପାପୀ ଜୀବନ ମୁକତି ପାଇଁକି

    ସାହା ଏକା ରାମ ନାମ।

ପ୍ରଭୁଙ୍କ ହାତରେ ଚାବି ସିନା ଅଛି 

    ଜଗତ ମାୟା‌ କୋଲପ,

ସେକୋଲପ ନିଶ୍ଚେଆପେ ଖୋଲିଯିବ

    ବେଳହୁଁ ଗୋବିନ୍ଦ ଜପ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy