ହେ ଶୀତ
ହେ ଶୀତ
ହେମନ୍ତର ଅନ୍ତେ ଶୀତ ଯେ ଆଗତେ
ନାନା ଅଳଙ୍କାର ନେଇ
ରଙ୍ଗ ବେରଙ୍ଗର ଫୁଲର ମହକେ
ମନେ ଆନନ୍ଦ ମିଳଇ ।
ପ୍ରାତରୁ ଟଗର ସ୍ୱାଗତ ଜଣାଏ
ପୌଷ ଓ ମାଘ ମାସକୁ
ସଂଞ୍ଜ ସକାଳର ହାଡଭଙ୍ଗା ଶୀତ
ଆସଇ ମାସ ଶେଷକୁ ।
ସୁରୁଜ ନଇଁଲେ ଗରମ ପୋଷାକ
ସଭିଙ୍କର ଲୋଡା ହୁଏ
ଶୀତୁଆ ପବନେ ଜାକିଯୁକି ହୋଇ
ଦିନ ସବୁ ହଜି ଯାଏ ।
ପୂଜା ଓ ପରବେ ବେଦ ଓ ମନ୍ତ୍ରାଦି
ସାଥେ ଶୁଭୁଥାଏ ଗୀତ
ଖୁସି ମଉଜରେ ପରବକୁ ପାଳୁ
ଆମେ ତ ଶୀତର ମିତ ।
ଫୁଲ,ଫଳ ନାନା ପରିବା ପତର
ଆମକୁ ସେ ଦେଇଥାଏ
ପାଚିଲା ଧାନର ହଳଦିଆ କ୍ଷେତ
ମନହାରି ନେଉଥାଏ ।
ଚଷା ଭାଇ ଆମ ଶୀତକୁ ଜାବୁଡି
ବିଲ ଆଡେ ଯାଏ ମାଡି
ଧାନ ଅମଳରେ ଲାଗିଥାଏ ସଦା
ଚାଦରକୁ ସାଥେ ଭିଡି ।
ସୂର୍ଯ୍ୟଙ୍କର ତାପ ଧିରେ ଧିରେ ବଢେ
ମନେ ଉନ୍ମାଦନା ଭରେ
ସମୟ ଚକ୍ରରେ ଉଭା ଋତୁ ରାଜ
ମାଘମାସ ଅନ୍ତ ପରେ ।
