ନବ ବରଷ ବୁଣିବ ହରଷ
ନବ ବରଷ ବୁଣିବ ହରଷ
ନୂତନ ବରଷେ ବୁଣିବ ହରଷ
ହସ ଖୁସି ସାଥେ ଆଣି
ବରଷକ ପାଇଁ ନୂଆ ଆଭୁଷଣେ
ଉଭା ଯେ ହୋଇବ ପୁଣି ।
ଆନନ୍ଦ ମୁଖର ଏ ସଜ ସକାଳ
ଖିଲି ଖିଲି ହସେ ଜନ
ଶୀତ କାକରର ଟୋପା ବିନ୍ଦୁ ଦେଇ
ତୁମକୁ ଏ ଅଭିନଦନ ।
ଅଧ ରାତେ ଆସ କାହିଁ ପାଇଁ କୁହ
କୀଟ ଖୋଦ୍ୟତର ଆଲେ
ପାପ ଛୁଏଁ ମନେ ଅତୀତକୁ ଭାବି
ତୁମ କଥା ବସି ଭାଳେ ।
ବିଗତେ ଆଣିଲ କରୋନା ଯନ୍ତ୍ରଣା
ଏଯାଏଁ ଲିଭିନି ମନେ
ନବ ବ୍ୟାଧି ନେଇ ଆସିଲ କି ତୁମ୍ଭେ
ସଂଶୟ ଆସଇ ମନେ ।
କଷଣର ସ୍ୱର ଶୁଭୁଛି ସବୁଠି
ନିନ୍ଦ ଟିକେ ଆସୁ ନାହିଁ
ନାରୀ ଓ ପୁରୁଷ ଉଭୟଙ୍କେ ପାଇଁ
ଲୋତକ ଦେଉଛି ବହି ।
ଅତୀତର ଦୁଃଖ ନ ଦିଅ ଜୀବନେ
କରୁଣା ଏତିକି କର
ପ୍ରାଣ ରଖି ପିଣ୍ଡେ ସନ୍ତାପ ଦିଅନା
ଜୀବନରୁ ଅବା ମାର ।
ନାନା କଷାଘାତେ ଜର୍ଜରିତ ଜନ
ମୁଖେ ଫୁଟାଇ ହରଷ
ନୂତନ ବରଷେ ପିଆଇ ପୀୟୁଷ
ଜୀବନେ ଭର ସରସ ।
