ଆଉ କେତେଦିନ
ଆଉ କେତେଦିନ
ଆଉ କେତେଦିନ ଗରିବ ଆଖିରୁ
ଝରଣାଟେ ବହୁଥିବ
ଓଳିଏ ଖାଇକି ଓଳିଏ ଉପାସେ
ଭବିଷ୍ୟକୁ ଦେଖୁଥିବ ।।
ଆଉ କେତେଦିନ ଦଉଡ଼ି ଟାଣିବ
କୃଷକ ଭାଇର ବେକ
ନାନା କଷଣରେ ଆଖି ଲୁହ ପିଏ
ପ୍ରକୃତିର ପାଇ ଚେଙ୍କ ।।
ଆଉ କେତେଦିନ ଭୃଣକୁ ନାଶିବ
କନ୍ୟା ପାଇଁ ଶତ୍ରୁ ସାଜି
ବାପା ମା' ଶବ୍ଦ କଦର୍ଯ୍ୟ କରିଲ
ହତ୍ୟା ପାଇଁ ହେଲ ରାଜି ।।
ଆଉ କେତେଦିନ ଦୁଷ୍କର୍ମ ଚାଲିବ
ହିତାହିତ ଜ୍ଞାନ ଭୁଲି
ନିୟମ କାନୁନ୍ ରୋକି ପାରୁନାହିଁ
ଦିନ ଦିନ ବଢେ ଚାଲି ।।
ଆଉ କେତେଦିନ ଘର ଭାଙ୍ଗୁଥିବ
ଚୁଗୁଲିଆ ପଣ ପାଇଁ
ଯେତେବେଳେ ନିଜ ଘର ଭାଙ୍ଗିଯିବ
କାହା ପାଖେ ଯିବ ଧାଇଁ ।।
ଆଉ କେତେଦିନ ଅଧର୍ମେ ଚାଲିବ
ପରଧନ ନିଜ କରି
ଗଲାବେଳେ ଯିବ ଦୁଇ ଗୁଣା ଧନ
ପାରିବନି ମୁଠେ ଧରି ।।
ଆଉ କେତେଦିନ ମିଛ ସତ କହି
ଐଶ୍ୱର୍ଯ୍ୟ ଭୂଞ୍ଜିବ ଭାଇ
ସତ୍ୟର ବିଜୟ ନିଶ୍ଚୟ ଆସିବ
ସମୟ ରହିଛି ଚାହିଁ ।।
ଆଉ କେତେଦିନ ବଞ୍ଚିବ ଏମିତି
ପରକୁ ଆପଣା କରି
ସ୍ୱାର୍ଥ ସରିଗଲେ କେହି ଚାହିଁବେନି
ନିଜଠାରୁ ଯିବେ ଦୂରି ।।
ଆଉ କେତେଦିନ ଗୁମୁରି କାନ୍ଦିବ
ଅନ୍ତରର ଦୁଃଖ ଚାପି
ଭବିଷ୍ୟକୁ ଦେଖି ସାବଧାନ ହୁଅ
ହାତେରୁ ଚାଖଣ୍ଡେ ମାପି ।।
