ଦଶଭୁଜା
ଦଶଭୁଜା
ନାରୀ ଯେ ଦଶଭୁଜା
ସଭିଏଁ ଜାଣି ବି ନଜାଣିଲା ପରି ହୁଅନ୍ତି
ନାରୀର ତ ଏୟା କରମ ସଭିଏଁ କୁହନ୍ତି
ଏକା ଏକା ସମ୍ଭାଳି ନିଏ
ଭରପୁର ପରିବାର
ଆହା ପଦେ ମୁଖରୁ ନବାହାରେ କାହାର
ସକାଳୁ ଶେଯ ଛାଡି
ଗୃହକର୍ମେ ମଜ୍ଜି ଯାଏ ଅକ୍ଲେଶରେ
ନିଜ ପାଇଁ ସମୟ ନାହିଁ ଟିକେ
ହେଲେ ସମସ୍ତଙ୍କର ଭଲମନ୍ଦ ବିଚାରେ
ପିଲାଙ୍କ ନିତ୍ୟକର୍ମ ସ୍କୁଲ୍ ଡ୍ରେସ୍ ପିନ୍ଧେଇବା
ତରତର ହୋଇ ସେମାନଙ୍କୁ ଖୁଏଇବା
ମନ ପସନ୍ଦ ଟିଫିନ୍ ବନେଇ
ବହି ବ୍ୟାଗ୍ ସଜାଡି ସ୍କୁଲକୁ ଛାଡିବା
ଏକା ଏକା ପୁରା ଘର ସମ୍ଭାଳିବା ।
ଶାଶୁ ଶଶୁରଙ୍କ ପାଇଁ ଚାହା ଜଳଖିଆ
ଦିଅର ନଣନ୍ଦ ପୁଣି ହୁଅନ୍ତି ଯେ ଠିଆ
ସେମାନଙ୍କ ମନ ବୁଝୁବୁଝୁ
ସ୍ଵାମୀ ନିଦରୁ ଉଠି ତରବର
ଉଠେଇଲନି କାହିଁକି ମତେ
ଡେରି ହେଲାଣି ବାକ୍ୟବାଣର ପ୍ରହାର
ସ୍ଵାମୀଙ୍କ କଥା ବୁଝି
ନିଜେ ଅଫିସ୍ ପାଇଁ ପ୍ରସ୍ତୁତ ହୁଏ
ଏକା ଏକା ସବୁ ନୀରବେ କରୁଥାଏ
ତା ଭିତରେ ଦ୍ଵିପହର ଖାଦ୍ୟର ପ୍ରସ୍ତୁତି
ନିଜେ ଖାଏ କି ନଖାଏ କେହି ବୁଝନ୍ତିନି
ସମସ୍ତଙ୍କ ଖାଦ୍ୟ କଥା ବୁଝି
ଓପାସେ ଅଫିସ୍ ଯାଏ
ସେଇଠି ଚା ବିସ୍କୁଟରେ ପେଟକୁ ପୁରାଏ ।
ସଞ୍ଜ ପୂର୍ବରୁ ଘରକୁ ସେ ଫେରି
ଭାତ ମୁଠେ ପାଟିରେ ପୁରାଏ
ଚଉରା ମୂଳେ ପୁଣି ସଞ୍ଜବତୀ ଦିଏ
ସମସ୍ତଙ୍କୁ ଚା ଜଳଖିଆରେ ଆପ୍ୟାୟିତ କରି
ପିଲାଙ୍କ ପଢା ଉପରେ ଦିଏ ନଜର
ଟିଭି ଦେଖି ମାଇଣ୍ଡ ଫ୍ରେସ୍ କରନ୍ତି ସ୍ଵାମୀ ଶଶୁର
ପିଲାଙ୍କୁ ପଢାଇସାରି ହାଣ୍ଡିଶାଳ ଯାଏ
ରାତି ଖାଇବା ପ୍ରସ୍ତୁତି ଚଳାଏ
ଜଣେ ଜଣେ କରି ଭିନ୍ନ ଭିନ୍ନ ସମୟରେ
ଖାଆନ୍ତି ନିଜ ଅନୁସାରେ
ବୁଝନ୍ତିନି ମନ କଥା
ଦିନ ସାରା ଖଟି ଖଟି ଶରୀରର ବ୍ୟଥା
ଶେଷରେ ଖାଇ ନିଜକୁ ବୁଝାଇ
ବିଛଣାରେ ଲୋଟିପଡେ
ନିଦ୍ରାଦେବୀ କୋଳକୁ ଅକ୍ଳେଶେ ଆଦରେ
ନା ଦିନରେ ଆଖି ଦେଖେ ସ୍ଵପ୍ନ
ନା ରାତିରେ କିଛି ସ୍ଵପ୍ନ ଆସେ
ପରିବାର ଚିନ୍ତାରେ ଭବସାଗରେ ଭାସେ
ବୋହୂ ପତ୍ନୀ ଭାଉଜ ଓ ମାଆ
ସମ୍ପର୍କରେ ଛନ୍ଦି ହୋଇ ଜୀଉଁଛି ଜୀବନ
ଦୁଇ ହାତ ଦେଇ ବିଧାତା
ଖଞ୍ଜିଛି ଦଶହାତ କାମ ।
ନୀରବେ ଖୋଜୁଛି ପିଲାଦିନ
ବୋଉର କୋଳ
ଯେଉଁଠି ଆସି ଯାଉଥିଲା ନିଦ ବହଳ
ନୟନେ ସ୍ଵପ୍ନ ଭରିଥିଲା
ଆନନ୍ଦରେ ଦିନ କଟୁଥିଲା
ଭାବୁଛି ଏବେ.....
ବୋଉ ବି ଏମିତି ଦିବାରାତ୍ର ଚାଲୁଥିଲା
ଦୁଇ ହାତ ଥାଇ ଦଶଭୁଜା ଥିଲା ।
ମଣ୍ଡପରେ ଆବାହନ କରି ମୃଣ୍ମୟୀ ପ୍ରତିମା
ଶକ୍ତିମୟୀ ବୋଲି ଦେଇଛେ ଉପମା
ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରି
ନାରୀକୁ ମର୍ଯ୍ୟଦା ନଦିଅ କିପରି
ମାଟି ମୂରତୀରେ ପାଇଛ ମାଆର ରୂପ
ଅଥଚ ଚଳନ୍ତି ପ୍ରତିମାର ନବୁଝ ଦୁଃଖ
ପ୍ରତି ନାରୀ ଦଶଭୁଜା ସମ୍ପୂର୍ଣ୍ଣା ଶକ୍ତିମୟୀ
ଅହରହ ସଭିଙ୍କୁ ବୁଝେ
ନିଜ ଅନ୍ତରେ ପଛେ ଲୁହ ସହ ଯୁଝେ
ପ୍ରତି ବଦଳରେ ଆଶା କରେ ସମ୍ମାନ
ପ୍ରତିଜ୍ଞା କର ପୂର୍ଣ୍ଣ କରିବା ସପନ
ପ୍ରତି ଜୀବନେ ହେଉ ନାରୀ ଶକ୍ତିର ଆବାହନ ।।
