ଦ୍ରୌପଦୀ
ଦ୍ରୌପଦୀ
ଯୁଗ ଯୁଗର ଐତିହ୍ୟ
କେତେ ବଳ ବୀର୍ଯ୍ୟ ଆଉ ପରାକ୍ରମ
କେତେ ଇତିହାସ ।
ବିଡ଼ମ୍ବିତ ଭାଗ୍ୟଲିପି ଅନାବୃତ
ଦେହରେ ମୋ କ୍ଷତ
ବୁକୁଫଟା କ୍ରନ୍ଦନର ଉପଶମ କାହିଁ
ନିର୍ଲଜପଣିଆ ସବୁ
ଜଲ ଜଲ ଦିଶେ
ଆକ୍ବରିୟମର ମାଛ ପରି ।
ମୁଁ ଦ୍ରୌପଦୀ
ଯୁଗ ଯୁଗ ଧରି ପୁରୁଷ
ହାତର କଣ୍ଢେଇ
ଦେଖ ଏଠି ସେଠି ପଶାଖେଳ
ମୁକୁଟ କି ଇନ୍ଦ୍ରପ୍ରସ୍ଥ ପାଇଁ
ବାଜିରେ ମୁଁ ।
ଧର୍ମର ତରାଜୁ ଭାଙ୍ଗେ
ଗାଣ୍ଡିବ ବି ବିଖଣ୍ଡିତ
ବୃକୋଦର ଶକ୍ତିହୀନ
ବୀରତ୍ୱର ରଙ୍ଗହୀନ ଗାଥା ଦେହ ମାଂସ ପାଇଁ ।
ଲେଉଟେ ମହାଭାରତ
ଦ୍ରୌପଦୀର ପଣତକାନିରେ
ଲାଗେ ରଙ୍ଗଛିଟା ।
ଆଜି ଯାହା ଘଟିଗଲା କୁରୁସଭା ତଳେ
ନା ମୁଁ କେବେ ଭୁଲିବି
ନା ତୁମେ ଭୁଲିଯାଇପାର
କାଳର ବକ୍ଷରେ ତୁମେ
ଶୁଣିପାର ଗୁଣୁଗୁଣୁ ଦ୍ରୌପଦୀର
କରୁଣ ସଙ୍ଗୀତ ।