ଦୋଳେ ତୁ ଦୋଳଗୋବିନ୍ଦ
ଦୋଳେ ତୁ ଦୋଳଗୋବିନ୍ଦ
ଫଗୁ ଦଶମୀରୁ ଫଗୁ ଫୁଆରାରେ
ଦୋଳେ ତୁ ଦୋଳଗୋବିନ୍ଦ,
ରାଧାରାଣୀ ସଙ୍ଗେ ମିଳନ ପର୍ବରେ
ନାଚୁଥାଅ ମନ୍ଦମନ୍ଦ,
ଝରୁଥାଏ ମକରନ୍ଦ,
ଭକତେ ପବିତ୍ର କରୁଥା'ନ୍ତି ନେତ୍ର
ପାରି ପାଇଁ ଭବ-ବନ୍ଧ ।
ଗାଆଁ ଗାଆଁ ବୁଲି କଷି ଆମ୍ବ ଭୋଗେ
ତୃପତ କରିଣ ମନ,
ଧାଇଁ ଯାଇଥାଅ ଯୁଗଳମୂରତି
ବିଜୟ କରି ବିମାନ,
ଦୃଶ୍ଯ କେଡ଼େ ଶୋଭାବନ,
ଆନନ୍ଦ ଲହରୀ ପଡ଼ଇ ଉଛୁଳି
ଭକ୍ତ ମନ ଉଚ୍ଚାଟନ ।
ବାଡ଼ି ଖେଳେ ମାତି ଗୋପାଳ ବାଳକେ
ନୃତ୍ୟ ଗୀତ ତାଳେ ତାଳେ
ଭକତି ଆବେଗେ ହୋଇ ନିଉଛାଳି
ପ୍ରେମ ର
ସେ ଭାବ ଭୋଳେ
କି ରସ ମର୍ତ୍ତ୍ୟମଣ୍ଡଳେ,
ଯେତେ ପାନ କଲେ ଆହୁରିକୁ ମନ
ନିତି ଖୋଜଇ ବିକଳେ ।
କୃଷ୍ଣ ରସ ରସେ ହୋଇ ବିମୋହିତ
ଆମ ଉତ୍କଳୀୟମାନେ
ଦୋଳ ବିମାନରେ ଯୁଗଳମୂରତି
ଝୁଲାଇ ବୁଲି ମେଲଣେ
ନିଜେ ସାଜି ଗୋପବାଳୀ
ଏମିତି ବରଷେ ଥରେ ରଙ୍ଗୀ ହ୍ବ'ନ୍ତି
ଭକତିର ଫଗୁ ବୋଳି ।
ଭୁଲି ଜାତି ଧର୍ମ ପାଳି ନିଜ କର୍ମ
ଏକତା ମନ୍ତ୍ରେ ମନ୍ତ୍ରିତ
ହୃଦେ କୋଳାକୋଳି ନାଚି ଢଳି ଢଳି
ଭାଇଚାରା କରି ଶକ୍ତ,
ଗାଇ କୃଷ୍ଣପ୍ରେମ ଗୀତ
ରଙ୍ଗ ଫୁଆରାରେ ନିଜକୁ ପାଶୋରି
ଭାବେ ପ୍ରାଣ ବ୍ୟାକୁଳିତ ।