ଲୁହ ସାଥେ ଖେଳ ନାହିଁ
ଲୁହ ସାଥେ ଖେଳ ନାହିଁ


ବାରୁଦ ନିଆଁରେ ସୁନ୍ଦର ଧରାକୁ
ଶମଶାନ କର ନାହିଁ
ମାଆ ପଣତକୁ ଶୋଣିତ ଶୁଅରେ
ଜୁଡୁବୁଡୁ କର ନାହିଁ
ପ୍ରଗତି ରଥର ପଥ ରୋଧ କରି
ଲୁହ ସାଥେ ଖେଳନାହିଁ ,
ଲୁହ ସାଥେ ଖେଳ ନାହିଁ ।
ମରିଚିକା ପଛେ କେତେ ଦିନ ସାଥୀ
ପାଦ ଚିପି ଚାଲୁଥିବ
ସହଯୋଗ ହାତ ବଢାଇ ଦେଲେରେ
ଅମୃତ ବରଷି ଯିବ
ଡଙ୍ଗର ଛାତିରେ ସାଇତା ସପନ
ନୂଆ ଗପ ଯିବ କହି ।
ଲୁହ ସାଥେ ଖେଳନାହିଁ ।
ଯଉବନକୁ ତ ଜାଳାଇ ଦେଉଛ
ଯାତନାରେ ଜଳିଜଳି
ଇଏକି ଜୀବନ ଜୀଇବାଟି ଯହିଁ
ନିରାଶାର ମରୁବାଲି
ତୁମ ଚଉପାଶେ ଖଇଫୁଟା ଖରା
ସପନ ତୁମକୁ ଛାଇ ।
ଲୁହ ସାଥେ ଖେଳନାହିଁ ।
ତୁମ ଛାଇ ଯହିଁ ତୁମକୁ ଡରାଏ
ସେହି ଦୁରୁଗମ ପଥେ
ଆଜି ନହେଲେ ବି କାଲି ଯିବ ଥକ୍କି
ଯୁଝି ଯୁଝି ନିଜ ସାଥେ
ହତିଆର ତେଜି ହାତ ମିଶାଇଲେ
ଅମା ରାତି ଯିବ ପାହି ।
ଲୁହ ସାଥେ ଖେଳନାହିଁ ।