ସେବା
ସେବା
ସେବା ଶବ୍ଦର ଅର୍ଥ ଅତି ବ୍ୟାପକ
ସାମାଜ ଗଠନର ସେ ମହାମନ୍ତ୍ର
ମଣିଷଙ୍କ ମଧ୍ୟରେ ଯୋଡି଼ଥାଏ ସମ୍ପର୍କ
ପ୍ରସାରିତ କରି ସହଯୋଗର ହସ୍ତ
ଆତ୍ମୀୟତାର ଅନାବିଳ ଭାବ
ହୃଦୟକୁ ରଖିଥାଏ ପବିତ୍ର ଉଦାର
ସଂସାରିକ ଜୀବନେ ନୁହେଁ କେହି
ଏକା ଏକା ସ୍ୱୟଂ ସଂପୂର୍ଣ୍ଣ
ଜନ୍ମରୁ ମୃତ୍ୟୁ ଯାଏ ପ୍ରତିଟି ମଣିଷ
ଖୋଜେ ନିଜର ନିରାପତ୍ତା
ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ
ଲୋଡି଼ ଅନ୍ୟମାନଙ୍କର ସାହାଯ୍ୟ
କରିଥାଏ ଅଖଣ୍ଡ ଭରସା ବିଶ୍ଵାସ
ଜଣେ ହୁଏ ଜଣକ ଉପରେ ନିର୍ଭରଶୀଳ
ଶିଶୁଟିଏ ଜନ୍ମ ହେଲା ପରେ
ହୋଇଥାଏ ଏକାନ୍ତ ଭାବରେ ଅସହାୟ
ମାଆର କୋଳ ହୁଏ ତା' ଲାଗି ସ୍ଵର୍ଗ
ଖୋଜୁଥାଏ ସୁରକ୍ଷା ସାହାରା
ମା' ମାତୃତ୍ୱର ଦେଇ ଅଯାଚିତ ମମତା
ତା' ସନ୍ତାନର ଲାଗି କରେ ସବୁ କିଛି
ତଦ୍ରୁପେ ବୟସର କ୍ରମେ କ୍ରମେ
ତାର ମୌଳିକ ଆବଶ୍ୟକତା ଚାହେଁ
ଏ ପ୍ରକ୍ରିୟାର ବିନିମୟ ଭାବ ହିଁ ସେବା
ଜୀବନ ଯାତ୍ରାର ପଥେ ପଥେ
ପ୍ରତିକୂଳ ପରିସ୍ଥିତିର ବହୁ ବାଧା ବିଘ୍ନ
କେବେ ଲଢିଥାଏ ଏକା ଏକା
କେବେ ହୁଏ ସେ ବିବଶ ନିରୁପାୟ
ସେବା ତା ପାଇଁ ହୁଏ ପ୍ରୟୋଜନ
ଆକସ୍ମିକ ଦୁର୍ଘଟଣାର ହେଲେ ଶୀକାର
ରୋଗ ବ୍ୟାଧିରେ କଲେ କବଳିତ
ବହୁମାତ୍ରାରେ ଖୋଜେ ଚିକିତ୍ସା ସେବା
ଘଟିଲେ ନା ନା ପ୍ରାକୃତିକ ଦୁର୍ବିପାକ
ସେ ବିପଦରୁ ମୁକୁଳିବାକୁ ଲୋଡେ
ଅନ୍ୟର ସହାନୁଭୂତି ଅନୁକମ୍ପା
ଯୁଦ୍ଧ ଘନଘଟା କି ମହାମାରୀର ଆତଙ୍କେ
ଜୀବନ ହୁଏ ଯେବେ ସଂକଟାପନ୍ନ
ସେବାରୁ ପାଏ ସେ ଅଭୟ ଶାନ୍ତି ତୃପ୍ତି
ମଣିଷର ଏ ମହାନ ଲକ୍ଷ୍ୟ ମହତ କର୍ମ
ଜୀବନ ଲାଗି ସେ ପରମ ଧର୍ମ
ମାନବ ସେବା ହିଁ ଈଶ୍ଵର ସେବା
ଜଣେ ସୁରକ୍ଷିତ ହୋଇ ଦିଏ ସୁରକ୍ଷା
ସାମାଜିକ ମୂଲ୍ୟବୋଧର ଏ ବୈଶିଷ୍ଟତା
ସେବା ଦ୍ୱାରା ହିଁ ହୁଏ ତା' ପ୍ରମାଣିତ।
