ମୈତ୍ରୀ ମିଳନ ମୁହୂର୍ତ୍ତ
ମୈତ୍ରୀ ମିଳନ ମୁହୂର୍ତ୍ତ


କୃତ୍ରିମ ଆଲୋକ ବର୍ଜନ ସାପେକ୍ଷ
ପ୍ରକୃତି କୋଳରେ
ପ୍ରାକୃତିକ ଦୀପ ଜାଳି ।
ସମ୍ପ୍ରତି ଭାରତ ମହାସଂଗ୍ରାମକୁ
ହାର୍ଦ୍ଦିକ ସମ୍ମତି
ଦେଇ,ବାଢ଼ିବା ଅଞ୍ଜଳି ।
ଅଞ୍ଜଳି ବାଢିବା କରତାଳି ଦେବା
ମଉନେ କରିବା
ବେଦର ସ୍ମୃତି ଚାରଣ ।
ବୈଦିକ ମୁନିବ୍ୟ ଦଧୀଚି ଉବାଚ
ଭୁଲିନି ଭାରତ
ମନ୍ତ୍ରମୁଗ୍ଧ ସୁପ୍ରାଚୀନ ।
ଭାରତ ଐତିହ୍ୟ କେବେ ବି ଗାଏନି
ତା' ପୂର୍ବ ପୁରୁଷ
ଦୁର୍ବଳ କୀର୍ତ୍ତିର ଗାଥା ।
ଶୌର୍ଯ୍ୟ ବୀର୍ଯ୍ୟଶାଳୀ ଅହିଂସା, ପ୍ରୀତିର
ସଙ୍ଗୀତ ଗାଏ ସେ
ଟେକି ଗରୀୟସୀ ମଥା ।
କାହାରି ଅନିଷ୍ଟ ନୁହେଁ ତା' ଅଭୀଷ୍ଟ
ଦେଇ ଜାଣେ ସିଏ
ନେଇ ତ ଶିଖିନି କେବେ ।
ଧର୍ମ ନିରପେକ୍ଷ ସାର୍ବଭୌମତ୍ବର
ବିଶ୍ୱ ବନ୍ଧୁତାରେ
ବଞ୍ଚିଛି ଗର୍ବେ ଗୌରବେ ।
ହେ ଭାରତବାସୀ ଶାନ୍ତିର ପ୍ରୟାସୀ
ବ୍ୟକ୍ତିରେ ବ୍ୟକ୍ତିରେ
ଦୂରତ୍ୱ ଭିତ୍ତିରେ ମିଶି ।
ଅଖଣ୍ଡ ଦୀପର ଆଲୋକ ଶିଖାରେ
କୋଭିଡ୍ ମେଧ ଯଜ୍ଞେ
ମହାମାରୀ ଦେବା ନାଶି ।
କରୋନାବର୍ଦ୍ଧକ ବିଦେଶୀ କୁକୀର୍ତ୍ତି
ଦୀପଶିଖାନଳେ
ଜଳିଯାଇ ହେବ ଧ୍ୱଂସ ।
ବିଭତ୍ସ କୁତ୍ସିତ କରୋନା କବଳୁ
ମୁକ୍ତି ମଶାଲ
ଆଣିବ ନୂଆ ବିଶ୍ୱାସ ।
ଆସ ବନ୍ଧୁ ଆସ ସଖା ସହୋଦର
ମୈତ୍ରୀ,ମିଳନର
ଅପଲକ ମୁହୂର୍ତ୍ତରେ ।
ବ୍ୟକ୍ତିର ଭିତ୍ତିରେ ଗୋଷ୍ଠୀ ଦୀପ ଜାଳି
ନୂତନ ଆଶାକୁ
ଆଙ୍କିଦେବା ଆଲୋକରେ ।
ଏ ନୁହେଁ କବିଙ୍କ କାଳ୍ପନିକ କାବ୍ୟ
ଭାରତ ମାଟିର
ଆନ୍ତରିକ ଉଦ୍ବୋଧନୀ !
ଦୀପର ଆଲୋକେ ଆଲୋକିତ କର
ଭାରତ ମାଆକୁ
କରି ଚିର ସ୍ୱାଭିମାନୀ !