STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଦଣ୍ଡିବା ଶକ୍ତି ଯାର ଥାଇ

ଦଣ୍ଡିବା ଶକ୍ତି ଯାର ଥାଇ

1 min
365

     ( ନବାକ୍ଷରୀ -- ଭାଗବତ ବୃତ୍ତେ )


ଏକ ବ୍ରହ୍ମରୁ ହୋଇ ଜାତ,

        ତ୍ରିଦେବ ନାମରେ ନାମିତ।

ସେ ବ୍ରହ୍ମା ବିଷ୍ଣୁ ମହେଶ୍ଵର,

          ହିତ କରନ୍ତି ଜୀବଙ୍କର।

ତାଙ୍କର ନିର୍ଦ୍ଦେଶେ ଜଗତ,

          ହୁଏ ସଦା ପରିଚାଳିତ।

ସର୍ଜନା କରନ୍ତି ଯେ ବ୍ରହ୍ମା,

         ପାଳନେ ବିଷ୍ଣୁଙ୍କ ମହିମା।

ସଂହାରି ଥା'ନ୍ତି ମହେଶ୍ବର,

        ଏ ଭାବେ ଚାଲିଛି ସଂସାର।

ତ୍ରିଦେବ କରନ୍ତି କଲ୍ୟାଣ ,

        ରଖନ୍ତି ଯେ ପ୍ରାଣୀର ପ୍ରାଣ।

ଶ୍ରୀବିଷ୍ଣୁ ଯେ ଜଗତ ପତି, 

           ତାଙ୍କର ଅନନ୍ତ ଶକତି।

ଏକଦା ସରସ୍ଵତୀ କୂଳେ,

        ଯଜ୍ଞରେ ଥିଲେ ଋଷି ଦଳେ।

ତ୍ରିଦେବ ମଧ୍ୟେ କିଏ ଶ୍ରେଷ୍ଠ ,

      ସେ ନେଇ ତର୍କେ କଲେ କଷ୍ଟ।

ନ ହେବାରୁ ଯେ ସମାଧାନ,

          କରି ତା' ଉଚିତ ବିଧାନ।

ଭୃଗୁ ଯେ ବ୍ରହ୍ମାଙ୍କ ନନ୍ଦନ,

        ସେ ଦାୟିତ୍ଵ କଲେ ଗ୍ରହଣ।

ପରୀକ୍ଷା କରିବେ ତିନିଙ୍କୁ, 

       ଶ୍ରେଷ୍ଠ ସେ ବାଛିବେ ଜଣକୁ।

ପ୍ରଥମେ ଗଲେ ବ୍ରହ୍ମା ପାଶେ,

     ଫେରି ଆସିଲେ ସେ ନିରାଶେ।

ଋଷିଙ୍କ ମେଳେ ବ୍ରହ୍ମା ଥିଲେ, 

         ଭୃଗୁଙ୍କୁ ଦେଖି ବିଗିଡ଼ିଲେ।

ଆସନ ଟାଣି ବସିବାରୁ,

      ତାଙ୍କୁ ତଡ଼ିଲେ ସେ ସେଠାରୁ।

ଦ୍ଵିତୀୟେ ଶିବଙ୍କ ପାଖକୁ,

        ଯାଇ ରହିଲେ ସେ ଦୂରକୁ।

ଆଦରେ ମହାଦେବ ତାଙ୍କୁ, 

        ଚାହିଁଲେ ଦୃଦେ ମିଳିବାକୁ।

ସ୍ପର୍ଶ ଲାଗି କଲେ ବାରଣ,

       ଶିବ ଯେ ରାଗିଲେ ଭୀଷଣ।

ଭୃଗୁ ଶିବଙ୍କ କ୍ରୋଧ ଦେଖି,

        ପଳାଇ ଗଲେ ଧ୍ୟାନ ରଖି।

ସେଠୁ ଗଲେ ବୈକୁଣ୍ଠପୁର, 

        କରିଣ ସେ ସୂକ୍ଷ୍ମ ବିଚାର।

ବିଷ୍ଣୁ ଥିଲେ ନିଦ୍ରାରେ ଶୋଇ,

      ଦେଖିଲେ ସେ ପାଖକୁ ଯାଇ।

ଭାବିଲେ ସୃଷ୍ଟିର ପାଳନେ,

        ହେଳା କରନ୍ତି ଅକାରଣେ।

ରାଗି ଯାଇ ବିଷ୍ଣୁଙ୍କୁ ସିଏ,

      ମାରିଲେ ଯେ ଗୋଇଠାଟିଏ।

ଭାଙ୍ଗି ଯିବାରୁ ତାଙ୍କ ନିଦ, 

        ଲଜ୍ଜିତେ କଲେ ଅବସାଦ।

ଭୃଗୁଙ୍କୁ ସେ ରାଗି ନ ଯାଇ, 

        ବସିଲେ ଅନୁତପ୍ତ ହୋଇ।

କହିଲେ ବିଷ୍ଣୁ " ମୁଁ କୃତଜ୍ଞ,

       ଆପଣଙ୍କଠାରେ ହେ ବିଜ୍ଞ "।

ଭୁଲ୍ ତାଙ୍କର ସେ ଦର୍ଶାଇ, 

        ଦେଇଛନ୍ତି ତାଙ୍କୁ ଚେତାଇ।

ତାଙ୍କ ଭୁଲ୍ ମନେ ରଖିବେ,

      ଆଉ କେବେ ସେ ନ କରିବେ।

ଛାତିରେ ଗୋଇଠା ଚିହ୍ନ, 

         ହୋଇବ ଶ୍ରୀବତ୍ସ ଲାଞ୍ଛନ।

ସ୍ମରଣେ ରହିବ ନାମରେ, 

       ଖ୍ୟାତ ହେବ ତା' ଜଗତରେ।

ଦେଖି ଧୈର୍ଯ୍ୟ ସହିଷ୍ଣୁ ଗୁଣ,

       ତାଙ୍କୁ ଶ୍ରେଷ୍ଠ କଲେ ପ୍ରମାଣ।

ଦଣ୍ଡିବା ଶକ୍ତି ଯାର ଥାଇ,

         ସେ ପୁଣି କ୍ଷମା ଆଚରଇ।

ସାଧନେ ସିଦ୍ଧ ବୁଦ୍ଧ ସେହି, 

         ସଭିଙ୍କ ମନ ନିଏ ମୋହି।

ସବୁରି ମଧ୍ୟେ ସେ ଉତ୍ତମ,

         ତାଙ୍କର ମହିମା ଅସୀମ।

ପ୍ରଭୁ ଶ୍ରୀବିଷ୍ଣୁ ଦୟାବାନ, 

        ନାହିଁ କେ ତାଙ୍କର ସମାନ।

କରନ୍ତି ଜଗତ ପାଳନ,

          ଦୁଃଖ କରନ୍ତି ନିବାରଣ।

ତାଙ୍କ ପାଶେ ନେଲେ ଶରଣ,

         ନିରାପଦ ରହେ ଜୀବନ।

ସେ ପ୍ରଭୁଙ୍କୁ କରେ ନମନ, 

        ଧ୍ୟାୟୀ ତାଙ୍କର ଶ୍ରୀଚରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract