ଦିନଟିଏ ଗଲା ସରି
ଦିନଟିଏ ଗଲା ସରି
ହେଇ ଦଳେ ପକ୍ଷୀ ଗଲେ ତ ଉଡି
ସୂରୁଯ ଦେବତା ଯାଆନ୍ତି ବୁଡି
ଦିନଟିଏ ଗଲା ସରି
ଘରକୁ ଫେରିଲା ଗାଈଆଳ ପିଲା
ସାଥେ ଗୋରୁପଲ ଧରି
କୁନି ପିଲାଙ୍କର ଭାଙ୍ଗିଲା ମେଳ
ଆଜି ପାଇଁ ସବୁ ସରିଲା ଖେଳ
ଝାପସା ଦିଶିଲା ବାଟ
ବାହୁଡିବା ପାଇଁ ତରତର ହୋଇ
ହାଟୁଆ ସାରିଲେ ହାଟ
ବିଲବାଡି କାମ ସାରିଲେ ଚଷା
କାଉ ବଣି ପାରା ଧରିଲେ ବସା
ଧରଣୀ ଶୀତଳ ହେଲା
ମୁହଁଟି ଦେଖେଇ ସଂଜରାଣୀ ତା'ର
ଆସିବା ସୂଚନା ଦେଲା
ହେଲା ଦିଅଁଙ୍କର ଆରତୀ ବେଳ
ଦେଉଳେ ଜମିଲା ଭକତ ମେଳ
ସଂଜଦିଆ ବେଳ ଜାଣି
ଚଉରା ମୂଳରେ ମାଆମାନେ ସବୁ
ଦୀପ ଜାଳିଦେଲେ ଆଣି
ପିଲାଏ ବସିଲେ ପଢିବା ପାଇଁ
ମାଆ ବସିଗଲେ ପିଲାଙ୍କୁ ଚାହିଁ
କହିଦେବା ଲାଗି ପାଠ
ଏକ ଏକ ଦୁଇ ଦୁଇ ଦୁଇ ଚାରି
ଚାରି ଚାରି ମିଶି ଆଠ
କେହି କେହି ବସି ପିଇଲେ ଚାହା
ଖୁସି ଗପ କେତେ ଜମିଲା ଆହା
ବୁଢାଏ ପିଣ୍ଡାରେ ବସି
ଛାନ୍ଦ ଚଉପଦୀ ଜଣାଣ ବୋଲିଲେ
ସଂଜ ଗଲା ଧୀରେ ଖସି
ଦିନ ଆସେ ଯାଏ ଏମିତି ନିତି
ଦିନଟେ ଆମର ଯାଏରେ ବିତି
ବିତିଗଲେ ବିତିଯାଉ
ସାରାଦିନ ପାଇଁ ଲୋକହିତ କାମେ
ମନଟି ଆମର ଥାଉ
