ଦିନେ ମୁଁ ନଥିବି
ଦିନେ ମୁଁ ନଥିବି
ସକାଳ ଥିବ ପଖାଳ ଥିବ
ସନ୍ଧ୍ୟା ଥିବ ଶର୍ବରୀର ସୁଷମା ଥିବ
ପୂଣ୍ୟ କାଳର ପୂର୍ଣ୍ଣିମାର ଉଜ୍ଜ୍ୱଳତା ଥିବ
ଆକାଶ ଥିବ ସୂର୍ଯ୍ୟର ପ୍ରକାଶ ଥିବ
ସେ ଦିନ ମୁଁ ନଥିବି
ଥିବ ମୋର କିଛି କହିଥିବା ତୁଚ୍ଛ କଥା
ମନ ଇଛା ଲେଖିଥିବା କିଛି ଅକବିତା
ମାଟିରେ ମିଶି ଯାଇଥିବ ଏ ଅଧମର ଶରୀର ।
ଯଦି ଦେଖାଇପାରନ୍ତି ଆତ୍ମାକୁ ମୋର
ଦେଖାନ୍ତି ଦୁନିଆକୁ ବାରବାର ପ୍ରତିଥର
ଦୃଢ ନିଶ୍ଚିତ ମନ ମୋର ହୃଦୟ ମୋର
ଏହାକୁ ଶକ୍ତିଶାଳୀ ଆତ୍ମବିଶ୍ବାସ ବି ଅନେକ କହିପାର,
ସେ ଦିନ ବେଳ ବୁଡ଼ି ଯାଇଥିବ
ସନ୍ଧ୍ୟା ଆସି ଫେରି ଯାଇଥିବ
ଆସିଥିବ ଶେଷ ରାତ୍ରି କାଳର ଅକାଳ ରାତ୍ରୀ
ସେଇଠି ସମସ୍ତେ ଥିବେ ଆପଣାର ମୋର
ସାଙ୍ଗ ସାଥି ବନ୍ଧୁ ପରିଜନ ଆଉ ପଡିଶା ଘର
କିଛି ନିଃଶବ୍ଦ ପଣ ଆଉ କିଛି ଶୁଭୁଥିବ ଚିତ୍କାର ।
ସେଦିନ ବି ଉଇଁଥିବ ଉଜ୍ଜଳ ଦୀପ୍ତିମାନ ସୂର୍ଯ୍ୟ
ସେଦିନ ବି ବୋଉ ଠାକୁର ପାଖେ ଦୀପ ଜଳିଥିବ
ସବୁଦିନ ପରି ସେଦିନ ବି କାମସାରି ଶୋଇବାକୁ ଯାଇଥିବି
କିଛି ସମୟ ପରେ ନିଦ ଆସିଥିବ ସେ ଥିବ ଶେଷ ନିଦ
ସକାଳୁ ଉଠିନି ନିଦ ଭାଙ୍ଗିନି ଭାଙ୍ଗିନି ଆଉ ଭାଙ୍ଗିନି
କିଛି ଜଣଙ୍କ ବାରବାର କଲ୍ ଆସୁଥିବ ରିଙ୍ଗ ବାଜୁଥିବ
ସମୟ ଗଡ଼ି ଚାଲିଥିବ ଦିନ ଦ୍ୱିପ୍ରହର
ସନ୍ଦେହ ବଢିଚାଲିବ ପ୍ରଶ୍ନ ବଢିଚାଲିଥିବ ଉତର ମିଳୁନଥିବ
ଧୀରେ ଧୀରେ ଲୋକ ରୁଣ୍ଡ ହେବେ କବାଟ ଭାଙ୍ଗିବ
ସେ ଦିନ ମୁଁ ଆଉ ନଥିବି ଥିବ କିଛିସମୟ ପାଇଁ ଶରୀର ।
କ୍ଷଣିକ ପାଇଁ ମୁହୁର୍ତ୍ତ ପାଇଁ ଦିନକ ପାଇଁ
ସପ୍ତାହ ପାଇଁ ମାସେ ପାଇଁ ଅବା ବର୍ଷକ ପାଇଁ
ଅବା ଜୀବନ ଥିଲା ଯାଏ କାନ୍ଦିବେ ଅନେକ
ବୋଉ ମନ କ'ଣ ସମ୍ଭାଳି ପାରିବ ଏ କଥା
ବିଚାର ଈଶ୍ୱର କରିବେ ମୁଁ ନଥିବି ସେଇଠି ଆଉ
ସବୁ ଘୃଣା ସେହି ମଶାଣିରେ ଯିବି ପାଇ
ଯଦି କିଛି ସୁକୃତ୍ୟ ଥିବ କିଛି ଶ୍ରଦ୍ଧା ବି ଯିବି ପାଇ
ସଂସାର ସମାଜ ପୁଣି ଚଳଚଞ୍ଚଳ ହୋଇଯିବ,
ପୁଣ ସମସ୍ତେ ହସିବେ ଏ ଦୁନିଆ ଏମିତି ଚାଲିବ
ଦିନେ ମୁଁ ନଥିବି ଦିନେ ମୁଁ ନଥିବି
ସମୟର ଚକ୍ରରେ କର୍ମତତ୍ତ୍ୱରେ
ଏ ଜୀବନ ନେଉଥିବ ଆକାର ହେଉଥିବ ସାକାର ।