"ଦୀପାଳି" ର ଦୃଶ୍ୟ
"ଦୀପାଳି" ର ଦୃଶ୍ୟ
"ଦୀପାଳି"ର ଦୃଶ୍ୟ ଆମ ସମାଜରେ
ପ୍ରତିଫଳିତ ହୁଅଇ
ଏକ ଅହେତୁକ ଉନ୍ମାଦନା ଜାଗି
ସଭିଙ୍କୁ ଦିଏ ଜଗାଇ ।
ଭାରତୀୟ ସଂସ୍କୃତିର ମହାନତା
ପୁରାଣରେ ଅଛି ବର୍ଣ୍ଣନ
ବିଜୟ ଉତ୍ସବ ପାଳନ ବିଧାନ
ରାତ୍ରୀ ଦୀପ ପ୍ରଜ୍ଜ୍ୱଳନ ।
ସେଇ ପରମ୍ପରା ହେଉଛି ପାଳନ
ରାତ୍ରୀ କାଳୀଙ୍କ ପୂଜନ
ଦୀପାବଳି ନାମେ ଆଲୋକର ପର୍ବ
ରହିଛି ବିଧି ବିଧାନ ।
ପିତୃ ପୁରୁଷଙ୍କୁ ଆଲୋକ ପ୍ରଦାନ
ପୁଣ୍ୟ ହୁଅଇ ଅର୍ଜ୍ଜନ
ପିତୃ ପୁରୁଷଙ୍କୁ ଦୀପ ଦାନ ଦେଇ
କିମ୍ପା ଫୁଟାଇବା ବାଣ ।
ପୂର୍ଣ୍ଣିମାର ଭ୍ରମ ଅମାବାସ୍ୟା ରାତ୍ରୀ
ପରିବେଶ ଆଲୋକିତ
ଆଲୋକ ରୂପକ ଚାଦର ଘୋଡେ଼ଇ
ଧରିତ୍ରୀ ହୁଏ ଶୋଭିତ ।
ଆଲୋକର ପର୍ବ ପୁର ପଲ୍ଲୀରେ
ପ୍ରତି କ୍ଷେତ୍ରରେ ଉଲ୍ଲାସ
ସବୁରି ମୁଖରେ ଫୁଟୁ ଅଛି ହସ
ପିଠା ମିଠା ର ସୁବାସ ।
ଆନନ୍ଦ ମୁଖର ସାରା ପରିବେଶ
ଝିଲିମିଲି ଆଲୋକରେ
ମା କାଳୀଙ୍କ ପୂଜା ଆରାଧନା ହୁଏ
ନିଷ୍ଠା ଭକ୍ତି ସହକାରେ ।
ଆଜିକାଲି ଆଲୋକ ଠୁ ବାଣ ବେଶି
ବାଣ ଫୁଟା ରେ ହିଁ ଖୁସି
ଆଲୋକରେ ହିଁ ଅନ୍ଧାର ଦୂରୀଭୂତ
ଜ୍ୟୋତିର ମହତ୍ତ୍ଵ ବେଶି ।
ଜ୍ଞାନ ସମ ଦୀପ ଜଳୁ ହୃଦୟରେ
ମନ୍ଦ ନ ରହୁ ମନରେ
ଶପଥ ଉଜ୍ଜୀବିତ ହେଉ ମନରେ
ଏହି ଶୁଭ ମୁହୂର୍ତ୍ତରେ ।
ଦୀପ ଆଲୋକେ ଅନ୍ଧାର ନାଶ ପରି
ଜ୍ଞାନ ବଳେ ପାପ ମନରୁ
ଭାଇଚାରା ମନୋଭାବ ଉଜ୍ଜୀବିତ
ହେଉ ପ୍ରତି ହୃଦୟରୁ ।
ସତ୍ୟ ଧର୍ମର ବିଜୟ ବାରତା
ପୁରାଣେ ରହିଛି ଗାଥା
ଧର୍ମର ହାନି ଘଟୁଛି ପ୍ରତି କ୍ଷଣେ
ସତ୍ୟ ପାଉ ଅଛି ବ୍ୟଥା ।
ଆସ ଦୀପ ଜାଳି ସ୍ବାଗତ କରିବା
ନ୍ୟାୟ ପନ୍ଥା ରେ ଚାଲିବା
ବିଜୟ ହୋଇଲେ ଉତ୍ସବ ପାଳିବା
କିନ୍ତୁ ବାଣ ନ ପୋଡ଼ିବା
ଆଲୋକମାଳାରେ ଚାକଚକ୍ୟ ଘର
ଧନୀ ପଇସା-ବାଲାର
କେବଳ ଅନ୍ଧାର ରାଜୁତି କରୁଛି
ଗରିବ ଘର ଭିତର ।
ମିଠା ପିଠା ବାଣ ଓ ନୂଆ ପୋଷାକ
ନାହିଁ ଗରିବ ଭାଗ୍ୟରେ
ଦୀପାବଳୀ ନାମ ଶୁଣି ବୁଦ୍ଧି ବଣା
ଦର ବୃଦ୍ଧି ବଜାରରେ ।
ଦୀପାବଳୀ ପର୍ବର ମହତ୍ତ୍ଵ ସେହି
ଧନୀ ଲୋକଙ୍କୁ ହିଁ ଜଣା
ଅଳ୍ପ ପଇସାରେ ଦୀପାଳି ପାଳନ
ଗରିବର ବୁଦ୍ଧି ବଣା ।
ଯେଉଁ ପିଲାର ବାପା ଦିନ ମୂଲିଆ
ଚାହେଁ କବାଟ ପାଖରେ
ବାପା କେତେବେଳେ ଆଣିବେ ଫୋଟକା
ବାଣ ଫୁଟେ ପାଖ ଘରେ ।
କୁମ୍ଭାର ର ମାଟି ତିଆରି ଦୀପର
ବିକ୍ରି ନ ହୋଇ ରହିଛି
ନାମକୁ ମାତ୍ର ମୂଲ୍ୟ କେତେ ପଚାରି
ଗ୍ରାହକ ଫେରି ଯାଉଛି ।
ବିଜୁଳି-ବତୀ ର ଚାହିଦା ବଢ଼ିଛି
ମାଟି ଦୀପ କିଏ ନେବ
କୁମ୍ଭାର ପିଲାଙ୍କର କି ଖୁସି ହେବ
ଯଦି ଦୀପ ବିକ୍ରି ନ ହେବ ।
ଆମ ପାଖେ ଛୋଟ ଗରିବ ବେପାରୀ
ଖୋଲା ଆକାଶର ତଳେ
ଆଶା ବାନ୍ଧି ରହିଛନ୍ତି ବିକ୍ରି ହେଲେ
ଘର ଚଳାଇବେ ଭଲେ ।
ନିହାତି ଗରିବ କିଛି କହେ ନାହିଁ
ଦୀପାଳି ରେ ଶ୍ୱାସରୁଦ୍ଧ
ନିଜ ପିଲାଙ୍କ ମୁହଁରେ ହସ ନାହିଁ
କିଏ ବା ଦେଉଛି ବୋଧ ।
ଆସ, ମାଟି ତିଆରି ଦୀପ କିଣିବା
ରାସ୍ତା କଡେ ବିକ୍ରି ଯାହା
କୁମ୍ଭାରର କିଛି ରୋଜଗାର ହେବ
ତା ପିଲାଙ୍କୁ ହେବ ସାହା ।
ଘରକୁ ଆସିବା ଅବା ଭେଟି ମିଠା
ଗରିବଙ୍କୁ ଦେଇ କିଛି
ହସ ଫୁଟାଇବା ତାଙ୍କରି ମୁହଁରେ
ଯିଏ ଶୁନ୍ୟକୁ ଚାହିଁଛି ।
ଗରିବ ଘର ଆଗରେ ଦୀପ ଟିଏ
ରଖି ଆଲୋକ କରିବା
ଆମ ପାଖେ ରହି ଆମର ଖୁସିରେ
ତାଙ୍କୁ ସାମିଲ କରିବା ।
ନିଜ ଘର ସହିତ ଅଭାବୀ ଘରେ
ଚାଲ ଦୀପ ଜଳାଇବା
ହେଉ ଦୀପାବଳୀ ଭାଇଚାରା ର ପର୍ବ
ଖୁସି ସଭିଙ୍କୁ ବାଣ୍ଟିବା ।
ଯେ ଦେଶ ପାଇଁ ଶହୀଦ ହୋଇଛନ୍ତି
ତାଙ୍କର ଘରକୁ ଯିବା
ଶହୀଦଙ୍କ ପରିବାର ସହ ମିଶି
ନିହାତି ଦୀପ ଜାଳିବା ।
ଯେଉଁ ସୈନିକ ସୀମାରେ କାର୍ଯ୍ୟରତ
ଶୁଭ ମନାସ ସହିତ
ଦୀପ ପ୍ରଜ୍ଜ୍ୱଳନ କରିବା ଖୁସିରେ
ରଖିବା ଦୀପାଳି ମହତ୍ତ୍ଵ ।
ବାଣରେ ହୁଏ ପରିବେଶ ଦୂଷିତ
ବାଣ ବିନା ହେଉ ପର୍ବ
ଆଜିଠାରୁ ସର୍ବେ ହେଲେ ସଚେତନ
ଆଗାମୀ ପିଢ଼ି ବଞ୍ଚିବ ।
ଦୀପାବଳୀ ଖୁସିରେ ହସେ ଧରିତ୍ରୀ
ରାତ୍ରୀ ଆଲୋକର ପର୍ବ
ଯୁଗ ଯୁଗ ଧରି ରହିଛି ରହିବ
ଦୀପାବଳୀ ଆମ ଗର୍ବ ।
