ଦୀନକୃଷ୍ଣ ଦାସ ମନ ମୋହନ
ଦୀନକୃଷ୍ଣ ଦାସ ମନ ମୋହନ
ନୀଳ ପରବତେ ନୀଳ ସୁନ୍ଦର
ଦୀନ ଦୀନକୃଷ୍ଣ ହୃଦୟ ହାର l
କଲ୍ଲୋଳିନୀ ସୂତା ବଲ୍ଲଭୀ ଯାର
କଲ୍ଲୋଳ କାବ୍ୟରେ ଗୁନ୍ଥିଲି ହାର l
ନନ୍ଦିଘୋଷ ରଥ ଚାଲଇ ଦାଣ୍ଡେ
ହୃଦ ନନ୍ଦିଘୋଷେ ଆସ ହେ ଦଣ୍ଡେ l
କଳା କଳେବର କଳା ଶ୍ରୀମୁଖ
ଦୀନକୃଷ୍ଣ ଦାସ ଦୈନ୍ୟ ହରକ l
ଜୟ ଜଗବନ୍ଧୁ ଯଦୁ ନନ୍ଦନ
ଦୀନକୃଷ୍ଣ ଦାସ କରେ ବନ୍ଦନ l
ବ୍ରଜବାଳି ହୃଦ ତଟ ଚନ୍ଦନ
ମମ ହୃଦେ ପ୍ରଭୁ ପ୍ରାଣ ସ୍ପନ୍ଦନ l
ଯମୁନା ଘାଟରେ ବୁଢ଼ା ନାଉରୀ
ଭଵସିନ୍ଧୁ ମୋତେ କରିବ ପାରି l
ହୃଦରେ ପଦକ କି ଜକ ଜକ
କୃପାସିନ୍ଧୁ ପ୍ରଭୁ ଭଵ ନାୟକ l
କି ଶୋଭା ଦିଶୁଛି କଳାବଦନ
ଦୀନକୃଷ୍ଣ ଦାସ ମନ ମୋହନ l
ବଡ଼ ବଡ଼ ତୁମ୍ଭ ଚାଲୁଣି ଆଖି
ତହିଁରେ ରହିଲା ମୋ ମନ ଲାଖି l
ରଙ୍ଗ ଅଧରରେ ରଙ୍ଗିଆ ହସ
ତୃଷ୍ଣା ମେଣ୍ଟାଇଲା ଏ ଦୀନ ଦାସ l
ଅଭିନଵ ଜଳ ଧର ମୂରତି
ନୀଳଗିରି ପତି ଅଗତି ଗତି l
ହୃଦରେ ଦୟଣା କସ୍ତୁରୀ ଚିତା
ବିଶ୍ୱବନ୍ଧୁ ଆହେ ବିଶ୍ୱ ଦେବତା l
ଦୀନ କୃଷ୍ଣ ଦାସ ହେଲା ସତୃଷ୍ଣ
କେଶବ,ମାଧବ,କଂସାରୀ,କୃଷ୍ଣ l
ବନ୍ଦନା କରିଲା କଲ୍ଲୋଳ ପଦେ
ଦୀନକୃଷ୍ଣ ଦାସେ ରହି ବିଷାଦେ ।
