ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ମଣିଷର ଆଶା ତିବ୍ରେ ଗତିକରେ
ଦିଗନ୍ତର ଯାତ୍ରାପଥେ,
ଦେଖେ ସିଏ ସ୍ବପ୍ନ ହେବାପାଇଁ ଶ୍ରେଷ୍ଠ
କରି କର୍ମ ଶକ୍ତିମତେ |
ଆକାଶ ପରି ତା ବିଶାଳ ହୃଦୟ
ଦିଗନ୍ତେ ପ୍ରସାରିଥାଏ,
ଦୁନିଆର ସବୁ ସୁଖ ଭୋଗିବାର
ସପନ ସଞ୍ଚରି ଯାଏ |
କବି ସୃଷ୍ଟି କରେ ନୂଆ ଭାବନାରେ
କେତେ ଯେ କାବ୍ୟ ସମ୍ଭାର,
କଳ୍ପନା ତାହାର ସତ୍ୟ ଚିରନ୍ତନ
ଝରଣା ଯେ ଅମୃତର |
ବିଧଗ୍ଧ ପରାଣେ ଦେଖୁଥାଏ ସଦା
ମୁଗ୍ଧ ତା ଅନ୍ତର ଖୋଲି,
ସିଏ ଚିରଞ୍ଜୀବି ସୃଜନୀରେ ତାର
ଦିଗନ୍ତରେ ଖେଳି ଖେଳି |
ଆଖିରୁ ତାହାର ଲୋତକ ନିଗିଡି
ସମୁଦ୍ରରେ ମିଶିଯାଏ,
ସମୁଦ୍ରର ଶେଷ ଦିଗବଳୟକୁ
ଅକୁଣ୍ଠିତେ ଛୁଉଁଥାଏ |
ତା ଓଠରୁ ଝରା ହସ ଶବଦରେ
ଗୁଞ୍ଜରିତ ହୁଏ ନଭ,
ସମୀରଣେ ଯାଇ ଛୁଏଁ ସେ ଦିଗନ୍ତ
କବିତା ସୃଷ୍ଟେ ବିପ୍ଳବ |
ଦିଗବିଜୟୀ ସେ ସମ୍ରାଟ ବିଶ୍ୱର
ସ୍ୱାଧୀନ ସେ ଜଗତରେ,
କଲମ ତାହାର କେବେ ପରାଜିତ
ହୁଏନାହିଁ ଜୀବନରେ |
ଆସେ ବେଳେ ବେଳେ ଝଡ଼ ତା ଜୀବନେ
ହୁଏ ବି ଅତ୍ୟାଚାରିତ,
ତଥାପି ଦୁର୍ବାରେ ଗତି କରି କରେ
ଅମୀୟ ଧାରା ପ୍ଲାବିତ |
ମାନବିକତାରେ ବିଶ୍ୱାସ କରେ ସେ
ସ୍ବପ୍ନ ଦେଖେ ଶାନ୍ତ ବିଶ୍ୱ,
ପୂଣ୍ୟ ସଂସ୍କୃତିର ଜୟ ଗାନ କରେ
ଭ୍ରଷ୍ଟତାକୁ କରେ ଶେଷ |
ପର୍ବତ କାନ୍ତାର ଲଙ୍ଘି ସେ ଚାଲିଛି
ଦିଗନ୍ତର ଯାତ୍ରା ପଥେ,
ଧୋଇ ଚାଲୁଥୁବ ଅବାଂଛିତ ଯାହା
ଢାଳୁଥିବ ସୁଧା ପ୍ରୀତେ |
