STORYMIRROR

Kabiratna Nutan Kumar Behera

Action Classics

4  

Kabiratna Nutan Kumar Behera

Action Classics

ଦିବ୍ୟ ଦୀପାବଳୀ

ଦିବ୍ୟ ଦୀପାବଳୀ

1 min
352


    ( ରାଗ -- ବିଭାସ କେଦାର )


ଦିବ୍ୟ ଦୀପାବଳୀ ଆସ ସର୍ବେ ପାଳି,

     ପୂଜିବା ମା' କାଳୀ ଦେଇ ପୁଷ୍ପାଞ୍ଜଳି।

ହିମେ ହେମମୟ ଧରା ଶୋଭାମୟ,

      ଲାଗେ ମଧୁମୟ ପୁଲକେ ହୃଦୟ।

ଉତ୍ସବ ମୁଖର ଗାଆଁରୁ ସହର,

        ଆନନ୍ଦେ ଅନ୍ତର ହୁଏ ବିଭୋର।

ଭକ୍ତିଭାବ ମନେ ଆସେ ଏଇ ଦିନେ,

    ରହୁ ଚିନ୍ତି ଧ୍ୟାନେ ଦେବୀ ଆରାଧନେ।

କାର୍ତ୍ତିକ ଉଆଁସେ ଶୁଭ ତିଥି ଆସେ,

     ଦେବୀଙ୍କ ଆଶିଷେ ଜୀବନ ବିକଶେ।

ସନ୍ଧ୍ୟା ଆଗମନେ ଦୀପ ପ୍ରଜ୍ବଳନେ,

    ଖୁସି ଭରେ ପ୍ରାଣେ ଭବନେ ଭୁବନେ।

ଫୁଟୁଥାଏ ବାଣ ରୋଷଣୀ ବର୍ଷଣ,

     ଖେଳେ ଶିହରଣ ଆସେ ଜାଗରଣ।   

ଆଲୋକର ଦାନେ ତମସା ନିଧନେ,     

      ରହୁ ସଚେତନେ ପରବ ପାଳନେ।

ଆତ୍ମାର ସମ୍ମାନେ ପୂର୍ବଜ ଆହ୍ଵାନେ,

      ରହୁ ପିଣ୍ଡଦାନେ ଶ୍ରାଦ୍ଧର ତର୍ପଣେ। 

ଧର୍ମର ଧାରଣା ଜୀବନ ଠିକଣା,

      ଦିଅଇ ପ୍ରେରଣା କରୁ ତା' ସାଧନା।

ଦେବୀ ମାଆ କାଳୀ ଶ୍ରଦ୍ଧା ସ୍ନେହ ଢାଳି,

        ଶୁଣିଥାନ୍ତି ଅଳି ରଖନ୍ତି ସମ୍ଭାଳି।

ରାବଣକୁ ମାରି ସୀତାଙ୍କୁ ଉଦ୍ଧାରି,

     ବନବାସ ସାରି ରାମ ଥିଲେ ଫେରି।

ଅଧର୍ମକୁ ନାଶି ଧର୍ମକୁ ପ୍ରକାଶି,

      ପ୍ରଭୁ ଅବିନାଶୀ ଆଣିଥିଲେ ଖୁସି।

ଅସତ୍ୟ ବିଳୟ ସତ୍ୟର ବିଜୟ,

       ସୃଷ୍ଟିର ପ୍ରତ୍ୟୟ ରଖଇ ଚିନ୍ମୟ।

ତାର ସ୍ମରଣରେ ଶୁଭ ଅବସରେ 

     ରହୁ ଉପଚାରେ ପୂଜା ଅର୍ଚ୍ଚନାରେ।

ଦିବ୍ୟ ଦୀପାବଳୀ ଏକ ମନେ ପାଳି,

     ସୁଖେ ଯିବା ଚଳି ରହି ସର୍ବେ ମିଳି।   

ଆଲୋକର ପର୍ବ ନାଶୁ ଅମା ସର୍ବ,

     ଅହଂ ହେଉ ଖର୍ବ ରହୁ ଜାତି ଗର୍ବ।

ରଖି ଅନୁରାଗ ବାଛିବା ସୁମାର୍ଗ,

    ମେଳେ ସବୁ ବର୍ଗ ଧରା ହେବ ସ୍ଵର୍ଗ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action