ଦି ଛକିରେ ଜୀବନ
ଦି ଛକିରେ ଜୀବନ
ମୋତେ ଚାଲିବାକୁ ହେବ ଅନେକ ଦୂର
ଗନ୍ତବ୍ୟ ସ୍ଥଳ ମୁଁ ଜାଣେନା
ପଥହରା ବାଟୋଇ ପରି
ଘୁରିବୁଲେ ବାହାରିବାକୁ ଜଙ୍ଗଲ ରାସ୍ତାରୁ
ବାଟ କ'ଣ ସରୁଛି ସହଜେ
ଚାରିଆଡେ ଭୟ ବିଭୀଷିକାର ଆର୍ତ୍ତନାଦ
ଦିଗହରା ନାବିକ ପରି
ଖୋଜୁଛି ସମୁଦ୍ରରେ ବତୀଘରଟିଏ ।
ଜିଇଁହୁଏନି ମନ ଭରି ଏଠି ଜୀବନକୁ
କେତେବେଳେ ଅମଡା ରାସ୍ତାରେ
ପୁଣି କେବେ ରାଜରାସ୍ତାରେ
ଚାଲି ଚାଲି ପାଦ ମୋର କ୍ଲାନ୍ତ
ତଥାପି ଚାଲିବାକୁ ହେବ
ପାହାଡି ଜଙ୍ଗଲି ଉଠାଣି ଗଡାଣି ରାସ୍ତାରେ ।
କାହିଁ କେତେବେଳେ ଅଟକିଯାଏ ପାଦ
ଜୀବନର ଦି ଛକି ରାସ୍ତାରେ
ନା ଆଗକୁ ଯାଇହୁଏ
ନା ପଛକୁ ଫେରିହୁଏ
କଇଁଛ ପରି ବେକ କାଢି ଚାହେଁ
ପୁଣି ଚୁପଚାପ କଣ ଭାବି
ନିରବେ ଯେମିତି ପଥରଟିଏ ପାଲଟିଯାଏ ।