ଧୂମହୀନ ଦୀପାବଳି
ଧୂମହୀନ ଦୀପାବଳି
ଦୀପ ନାମ ପରା ଚେତନା ଜଗାଏ
ଅସ୍ତିତ୍ଵ କୁ ଦିଏ ଅବ୍ୟକ୍ତ ଶାନ୍ତି
ଦୀପ ଶିଖା ଆମ ସଂସ୍କୃତି ସ୍ରୋତରେ
ପରଶୁ ଥାଏ ଯେ ଦିବ୍ୟ ଶକତି ।
ସର୍ବ ଶୁଭ ବାର୍ତ୍ତା ଦେଇଥାଏ ଦୀପ
ମନକୁ କରଇ ପୁତ ପବିତ୍ର
ଅନ୍ଧାର ଏଡାଇ ଭାବନା ଜଡ଼ାଇ
ଆଲୋକ ବାଣ୍ଟଇ ହୋଇ ହରଷ ।
ଦୀପାବଳି ଅଟେ ଆଲୋକର ପର୍ବ
ପ୍ରତିବର୍ଷ ଆସେ ଏହି ଧରାରେ
ସାରା ବରଷର ଜମା ଅନ୍ଧାରକୁ
ଫୋପାଡିବା ପାଇଁ କାନରେ କୁହେ ।
କାର୍ତ୍ତିକ ମାସର ଅମାବାସ୍ୟା ପରା
ଆମ ସଂସ୍କୃତିର କଥା ଯେ କୁହେ
ଦୀପ ଜାଳି ଦେଇ ଅନ୍ଧାର ଏଡାଇ
ଆଲୋକ ବାଣ୍ଟିବା ଶିଖାଉ ଥାଏ ।
ଦୀପର ଆଲୋକ କାଉଁରିଆ ଜଳା
ପୂର୍ବ ପୁରୁଷଙ୍କୁ ଆମନ୍ତ୍ରି ଥାଏ
ଶାନ୍ତିର ନିଳୟୁ ଆସନ୍ତି ସେମାନେ
ଧୂମ୍ରତା ରେ କିବା ଶ୍ରଦ୍ଧା ଜଗାଏ ?
ତ୍ରେତୟାରେ ରାମ ବନରୁ ଫେରନ୍ତି
ଅଯୋଧ୍ୟାରେ ହୁଏ ସ୍ଵାଗତ ପର୍ବ
ଦୀପଜାଳି ସର୍ବେ କରିଥିଲେ ପରା
ପ୍ରେମ ଓ ଶ୍ରଦ୍ଧାର ପୁଷ୍ପ ଅର୍ପିତ ।
ଦୀପର ମହତ୍ତ୍ଵ ହଜି ହଜି ଯାଏ
ଦୀପାବଳୀ ଅର୍ଥ ବଦଳି ଯାଏ
ଦୀପ ହଜି ଯାଇ ବାଣ ଫୋଟକାରେ
ଧୂମ ମୟ ଏଇ ପୃଥିବୀ ହୁଏ ।
ଶବ୍ଦ ପ୍ରଦୁଷଣେ ଧୂଆଁର ଆଗମେ
ଅଶାନ୍ତ ଧରଣୀ ଅଶାନ୍ତ ମନ
ହଜି ଯାଉଅଛି କମନୀୟତା ଯେ
ହଜି ଯାଉଅଛି ତାର ମହତ୍ତ୍ଵ ।
ଶାନ୍ତ ଦୀପାବଳି ଦିଶା ହରାଉଛି
ମଣିଷ ଅବୁଝା ହୋଇ ଯାଉଛି
ଆଲୋକ ପର୍ବକୁ ଧୂମ ମୟ କରି
କେତେ ଅଘଟଣ ଡାକି ଆଣୁଛି ।
ଦୀପାବଳୀ ଆମ ସଂସ୍କୃତିର ପର୍ବ
ଦେଉଅଛି ପରା ଜୀବନ ବାର୍ତ୍ତା
ଚାଲ ସର୍ବେ ମିଳି ସେ ବାର୍ତ୍ତା ପଢ଼ିବା
ଦୀପରେ ସଜାଇ ଦେବା ସଳିତା ।
ଶଙ୍କା ଭୀତି ନୁହେଁ ଏ ପର୍ବର କଥା
ପ୍ରେମ ଓ ଶ୍ରଦ୍ଧା ର ପରବ ପରା
ଧୂମହୀନ ଦୀପାବଳି ଯେ ପାଳିବା
ଧରଣୀ ଖୁସୀରେ ହେବ ଅଧିରା ।
ଦୀପ ଟିଏ ଜାଳି ଶ୍ରୀରାମେ ସୁମରି
ସଦ୍ଗୁଣ କୁ ଆହରଣ କରିବା
ମାତା କାଳୀ ଙ୍କୁ ଯେ ପ୍ରଣାମ କରିଣ
ଶୁଭ ଦୀପାବଳି ଆମେ ପାଳିବା ।
ଦୁଆରେ ଜାଳିବା ଚେତନା ର ଦୀପ
ଚଉରାକୁ ଦୀପ ମୟ କରିବା
ଦୀପ ଜାଳୁ ଜାଳୁ ଦୀପ ଠାରୁ ଆମେ
ତ୍ୟାଗ ର କଥା ଯେ ଶିଖି ଯେ ଯିବା ।
ଚାଲ ଆମେ ଭାଇ , କାଉଁରିଆ ଜାଳି
ପିତୃ ପୁରୁଷଙ୍କୁ ଡାକି ଯେ ଦେବା
ଶ୍ରଦ୍ଧାର ଶ୍ରାଦ୍ଧରେ ଚଉରା ମୂଳରେ
ଆମେ ମଥା ନତ କରି ଯେ ଦେବା ।
କାଉଁରିଆ ନୁହେଁ ଖାଲି କାଠିଟିଏ
ଏହାରି ଧୂଆଁରେ ବିଜ୍ଞାନ ଲେଖା
ଫସଲ ହାନୀର କ୍ଷତି କାରୀ କୀଟ
ଧୂଆଁ ଦେଖି ଦୂରେ ଯାଆନ୍ତି ପରା ।
ଚାଲ ଭାଇ ଚାଲ ଦୀପ ତେଲ ଆଣି
ସଜ କରି ଦେବା ତୁଳା ବଳିତା
ଆତସ ବାଜିକୁ ମନ ଦେବା ନାହିଁ
ମନରେ ଜଳିବା ଶାନ୍ତି ସଳିତା।
ଧୂମ ହୀନ ଦୀପାବଳି ପାଳିବା ହେ
ଦୀପାବଳି ପର୍ବ ସାର୍ଥକ ହେବ
ଆମରି ପ୍ରୟାସେ ଏଇ ପୃଥିବୀରେ
ପ୍ରଦୂଷଣ ପରା ଦୂରେ ରହିବ ।
