ଧରିତ୍ରୀର ଦୁଃଖ
ଧରିତ୍ରୀର ଦୁଃଖ
ମାତୃ ଗର୍ଭ ତେଜି ଜନମିଲୁ ଯେବେ
କୋଳେ ତୋର ଆବୋରିଲୁ,
ପ୍ରଥମ ଚୁମ୍ବନ ପ୍ରେମ ଆଲିଙ୍ଗନ
ଦେହେ ଆମ ବୋଳି ଦେଲୁ ।
କୁନିକୁନି ପାଦ ଥାପି ଥିଲୁ ଯେବେ
ହୋଇଲୁ ତୁ ଉଲ୍ଲସିତ,
ତୋ ପରସ ପାଇ ଚାଲିବା ଶିଖିଲୁ
ଗାଇ ଗାଇ ନାନା ଗୀତ ।
ତୋର ସେ କାନନେ ବନ ଉପବନେ
ଶ୍ୟାମଳ ସୁଷମା ଉଭା,
ତୋ ବକ୍ଷ ଅମୃତ ଧାର ଧାର ଝରି
ବଢାଉଛି ଯାର ଶୋଭା ।
ସହି ଅଛୁ ଆମ ଅଳି ଅରଦଳି
କେତେ ମାନ ଅଭିମାନ,
ଦେଖି ଅଛୁ ଆମ ସୁଖର କ୍ଷଣକୁ
ଦୁଃଖର ଯେ ସବୁ ଦିନ ।
ତୋର କାୟା ଆଜି ଅବର୍ଜନା ମୟ
ଉତପ୍ତ ଅଗ୍ନିର ଶିଖା,
ଅମୃତର ଧାର ଶୁଖିତ ଗଲାଣି
ବରଷାର ନାହିଁ ଦେଖା ।
ଅରଣ୍ୟକୁ ଧ୍ଵଂସି ଶିଳ୍ପସଂସ୍ଥା ଆଜି
ଟେକି ଚାଲିଛି ତା ମଥା,
ବାଦଲ ପରାୟ ଧୂମ ଆବୋରଣ
ଶରୀରକୁ ଦିଏ ବ୍ୟଥା ।
ଉତ୍କଟ ଶବ୍ଦରେ ଥରି ଉଠେ ଦେହ
ଅସ୍ଥିର ହୁଅଇ ଚିତ୍ତ,
ଦୃଦ୍ ଘାତ ଆଉ ବଧିରତା ପଣ
କରୁଅଛି ଭୟଭୀତ ।
ଜଳ ସମ୍ପଦକୁ ବିଷାକ୍ତ କରୁଛି
କାହିଁ କେତେ ଆବର୍ଜନା,
ଅମ୍ଳଜାନ ପାଇଁ ପ୍ରାଣ ଚାଲିଯାଏ
ଅମ୍ଳଜାନ ହୁଏ କିଣା ।
ଉର୍ବରତା ନାଶି କିଟନାଶ ବିଞ୍ଚି
ଅମଳ ବଢ଼ିଛି ବେଶି,
ରାସାୟନିକ ସାର କଲା ଛାରଖାର
ଆୟୁଷ ଯାଉଛି ଖସି ।
କଣ୍ଟକ ଆଘାତେ କୋମଳ କାୟା ରୁ
ଝରିଲାଣି ଲହୁ ଧାରା,
ଜୀବନ ଦାୟିନୀ ମୁକ୍ତ ବାୟୁ ଆଜି
ବିଷାକ୍ତ ବାଷ୍ପରେ ଭରା ।
ଆନ ସୁଖ ପାଇଁ ଦେଇଅଛି ଯିଏ
ଖୁସିର ପସରା ବୁଣି,
ନୀରବ ଆଜି ଏ ସ୍ଵାର୍ଥପର ମନ
ତା'କ୍ରନ୍ଦନ ଶୁଣି ଶୁଣି ।
