ଧରିତ୍ରୀ
ଧରିତ୍ରୀ
ଧରିତ୍ରୀ କୋଳେ ରହି ସକଳେ
ସ୍ବରୂପ ବିକଶନ୍ତି
ଚର ଅଚର ସଭିଏଁ ପରା
ତାହାର ରୂପକାନ୍ତି ।
ସାଜେ ମୁକୁଟ ଗିରି-ପାହାଡ଼
ହାର ନଦୀ ଝରଣା
ଶସ୍ଯ କ୍ଷେତର ସବୁଜ ବନ
ସିନ୍ଧୁ ଆନ ଗହଣା ।
ସଞ୍ଜସକାଳେ ପକ୍ଷୀ କାକଳି
ସତେ ଶଙ୍ଖର ଧ୍ବନି
ଚେତି ଉଠନ୍ତି ମାନବଗଣ
ତା'କୁ କାନରେ ଶୁଣି ।
ସୂରୁଯ ସତେ ପିନ୍ଧାଇଥାନ୍ତି
ନାଲି, ଶୁଭ୍ର ବସନ
ସେଥିରେ ଢାଙ୍କି ସନ୍ତାନଗଣେ
ନିତି ଦିଏ ଚୁମ୍ବନ ।
ଫୁଲ ବଗିଚା ହସଇ ବୁକେ
ରଙ୍ଗ ପାଖୁଡ଼ା ମେଲି
ବାସ ବିତରି ଭରଇ ଖୁସି
ମନ ଉଠଇ ପୂରି ।
ଜାତିଜାତିକା ଫଳ ରଖିଛି
ତରୁରେ ଆମ ପାଇଁ
ଯେତେବେଳେ ଯା' ମାଗି ବୁଲୁଛୁ
ଦେବାକୁ କୁଣ୍ଠା ନାହିଁ ।
ତା' ବୁକୁ ତାଡ଼ି କରୁଛୁ ଘର
ଶସ୍ୟ ବି ଉତ୍ପାଦନ
ନାନା ସମ୍ପଦ ତା' ଭୂମି ତଳେ
ସତେ କରୁଣା-ଧନ !
ଯେତେ ବି କଷ୍ଟ ଦେଲେ ତାହାକୁ
ପାଟି ଖୋଲଇ ନାହିଁ
ସେ ସର୍ବଂସହା ଧରିତ୍ରୀ ପରା
ସବୁ କଷ୍ଟକୁ ପିଇ ।